ମହାରାଷ୍ଟ୍ର: ଆଜି ସିନ୍ଦେ ସରକାରର ଶକ୍ତି ପରୀକ୍ଷା

ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ୍ ର ସମ୍ମୁଖୀନ ହେବ। ପ୍ରଥମ ପରୀକ୍ଷାରେ ଗତକାଲି ବାଚସ୍ପତି ନିର୍ବାଚନରେ ଉତ୍ତୀର୍ଣ୍ଣ ହେବା ପରେ ଆଜି ସିନ୍ଦେ ସରକାରଙ୍କ ପ୍ରକୃତ ପରୀକ୍ଷା। ଯଦି ସିନ୍ଦେ ସରକାର ଆସ୍ଥା ଭୋଟରେ ବିଜୟୀ ହୁଏ, ତେବେ ଜୁନ୍ ୨୧ରୁ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟର ଅବସାନ ଘଟିବ |

ମହାରାଷ୍ଟ୍ର ବିଧାନସଭାର ପ୍ରକ୍ରିୟା ଆଜି ଦିନ ୧୧ ଟାରୁ ଆରମ୍ଭ ହେବ ଏବଂ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସିନ୍ଦେ ସରକାର ତରଫରୁ ବିଶ୍ୱାସ ପ୍ରସ୍ତାବ ଅଣାଯିବ। ଯାହା ପରେ ଏହି ପ୍ରସ୍ତାବ ଉପରେ ଭୋଟ୍ ହେବ | ତେବେ ବିଜେପି ନିଶ୍ଚିତ ଯେ ସିନ୍ଦେ ସରକାର ବହୁ ସଂଖ୍ୟାରେ ଆସ୍ଥା ଭୋଟ୍ ଜିତିବ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଆମେ ୧୬୬ ଭୋଟ୍ ସହିତ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବୁ।

ଫଡନାଭିସଙ୍କ ଏପରି ଦୃଢୋକ୍ତିର ମଧ୍ୟ କାରଣ ରହିଛି । ଗତକାଲି ଅନୁଷ୍ଠିତ ବିଧାନସଭା ବାଚସ୍ପତି ନିର୍ବାଚନରେ ​​ବିଜେପି ଏବଂ ସିନ୍ଦେ ଗୋଷ୍ଠୀକୁ ବଡ଼ ବିଜୟ ମିଳିଥିଲା। ବିଧାନସଭା ବାଚସ୍ପତି ନିର୍ବାଚନରେ ବିଜେପିର ​​ରାହୁଲ ନର୍ଭେକର ମୋଟ ୧୬୪ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ। ଆବଶ୍ୟକ ୧୪୪ ଭୋଟ୍ ଠାରୁ ନର୍ଭେକର ୨୦ ଭୋଟ୍ ଅଧିକ ପାଇଥିଲେ । ବିରୋଧୀ ପ୍ରାର୍ଥୀ ରାଜନ ସାଲଭିଙ୍କୁ ମାତ୍ର ୧୦୭ ଭୋଟ୍ ମିଳିଥିଲା । ରାହୁଲ ନର୍ଭେକର ୪୭ ଭୋଟର ବିପୁଳ ବ୍ୟବଧାନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଥିଲେ । ସିନ୍ଦେ ସରକାର ଏହାର ପ୍ରଥମ ପରୀକ୍ଷାରେ ମହାବିକାଶ ଅଘାଡି ମେଣ୍ଟକୁ ଜବରଦସ୍ତ ଝଟକା ଦେଇଛି। ଏବେ ଫ୍ଲୋର୍ ଟେଷ୍ଟ ରେ ମଧ୍ୟ ବିଜୟୀ ହେବା ନେଇ ବିଜେପି ସମର୍ଥିତ ସିନ୍ଦେ କ୍ୟାମ୍ପ ଆଶାବାଦୀ।

Comments are closed.