ଲାଇଭ୍ ଟିଭି ଶୋ’ରେ ଶୋଏବ ଅଖତରଙ୍କୁ ଅପମାନିତ କଲେ ଆଙ୍କର୍, ଶୋ’ ଛାଡ଼ି ଚାଲିଯିବାକୁ କହିଲେ

କରାଚି: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କୁ ଲାଇଭ୍ ଟିଭି ଶୋ’ରେ ଅପମାନିତ କରାଯାଇଛି। ପିଟିଭି ସ୍ପୋର୍ଟସ୍ ସୋ ‘ଗେମ୍ ଅନ୍ ହୈ’ କାର୍ଯ୍ୟକ୍ରମ ବେଳେ ଏହି ଶୋ’ର ଆଙ୍କର୍ ନୌମାନ୍ ନିଆଜ୍, ଶୋଏବଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ ତାଙ୍କୁ ଶୋ’ ଛାଡ଼ି ଚାଲି ଯିବାକୁ କହିଥିଲେ। ଏହା ପରେ ଶୋଏବ ଅଧାରୁ ଶୋ’ ଛାଡ଼ି ହଠାତ୍ ଚାଲି ଯାଇଥିଲେ । ପରେ ସେ ସୋସିଆଲ ମିଡିଆରେ ପୁରା ଘଟଣା ସମ୍ପର୍କରେ ବର୍ଣ୍ଣନା କରି ଏହି ଅପମାନର ଯନ୍ତ୍ରଣା ବ୍ୟକ୍ତ କରିଛନ୍ତି |

ଉକ୍ତ ଶୋ’ରେ ଶୋଏବ ଅଖତରଙ୍କ ବ୍ୟତୀତ ସାର୍ ଭିଭିଆନ୍ ରିଚାର୍ଡସ ଏବଂ ଡେଭିଡ ଗୋୱାରଙ୍କ ପରି କିମ୍ବଦନ୍ତୀ ଖେଳାଳି ମଧ୍ୟ ଉପସ୍ଥିତ ଥିଲେ। ଶୋ’ରେ ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ ଟି୨୦ ବିଶ୍ୱକପ୍ ମ୍ୟାଚକୁ ନେଇ ଆଲୋଚନା କରାଯାଉଥିଲା, ଯଦିଓ ସେହି ସମୟରେ ମ୍ୟାଚ୍ ଆରମ୍ଭ ହୋଇନଥିଲା। ଏହି ଘଟଣାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପୂର୍ବରୁ ଶୋଏବ ଅଖତରଙ୍କୁ ପାକିସ୍ତାନର ଜାତୀୟ ଟିଭିରେ ଅପମାନିତ କରାଯାଇଥିଲା । ଏହି ଡ୍ରାମା ଦୀର୍ଘ ସମୟ ଧରି ଚାଲିଥିଲା। ଏହି ଶୋ’ରେ ଶୋଏବ ପାକିସ୍ତାନର ଦୁଇ ଉଦୀୟମାନ ଦ୍ରୁତ ବୋଲର୍ ଶାହିନ୍ ଶାହା ଆଫ୍ରିଦି ଏବଂ ହାରିସ୍ ରାଉଫଙ୍କ ବୋଲିଂରେ ଉନ୍ନତି ପାଇଁ ପିଏସ୍ଏଲ୍ ଦଳ ଲାହୋର କଲନ୍ଦରକୁ ଶ୍ରେୟ ଦେଇଥିଲେ। ତେବେ ଶୋ’ର ଆଙ୍କର୍ ନୌମାନ୍ ନିଆଜ୍, ଶୋଏବଙ୍କ ଉପରେ ହଠାତ୍ କ୍ଷୁବ୍ଧ ହୋଇଥିଲେ ଏବଂ ତାଙ୍କୁ ଶୋ’ ଛାଡି ଚାଲିଯିବାକୁ କହିଥିଲେ।

ନୌମାନ୍ ନିଆଜ୍ ଶୋଏବଙ୍କୁ କହିଥିଲେ ଯେ, “ଆପଣ ଟିକେ ଅସଭ୍ୟ ହେଇଯାଉଛନ୍ତି । ଏବଂ ଅନିଚ୍ଛା ସତ୍ତ୍ବେ ମୁଁ କହିବାକୁ ଚାହେଁ ଯେ ଯଦି ଆପଣ ଓଭର ସ୍ମାର୍ଟ ହେବାକୁ ଚାହୁଁଛନ୍ତି ତେବେ ଏଠାରୁ ଯାଇପାରିବେ | ମୁଁ ଏହାକୁ ଅନ୍ ଏୟାର୍ କହୁଛି |” ନିଆଜଙ୍କ ଏପରି ଆଚରଣରେ ଶୋଏବ ହତବାକ୍ ହୋଇଯାଇଥିଲେ ଏବଂ ସେ ବୁଝି ପାରିନଥିଲେ ଯେ ତାଙ୍କର କେଉଁ କଥା ନିଆଜଙ୍କୁ ଖରାପ ଲାଗିଛି । ଏହା ପରେ ନିଆଜ୍ ତୁରନ୍ତ ଏକ ବ୍ରେକ୍ ନେଇଥିଲେ | ବ୍ରେକ୍ ପରେ ମଧ୍ୟ ଶୋ’ର ପରିବେଶ ବଦଳି ନଥିଲା ଏବଂ ବାକି ଅତିଥିମାନଙ୍କୁ କ୍ଷମା ମାଗିବା ପରେ ଶୋଏବ ପିଟିଭି ସ୍ପୋର୍ଟସରୁ ଜଣେ ବିଶେଷଜ୍ଞ ଭାବେ ଇସ୍ତଫା ଦେଇଥିଲେ। ଏହା ପରେ ଶୋଏବ ଶୋ’ ଛାଡ଼ି ପଳାଇଥିଲେ |

ଶୋଏବ ଅଖତର କହିଥିଲେ, “ମୁଁ ଆପଣ ମାନଙ୍କୁ କ୍ଷମା ମାଗୁଛି। ମୁଁ ପିଟିଭିରୁ ଇସ୍ତଫା ଦେଉଛି। ନ୍ୟାସନାଲ ଟିଭିରେ ମୋ ସହ ଯେଉଁଭଳି ବ୍ୟବହାର କରାଗଲା, ମୁଁ ଭାବୁ ନାହିଁ ଯେ ମୁଁ ଏଠାରେ ବସିବା ଉଚିତ୍। ସେଥିପାଇଁ ମୁଁ ଇସ୍ତଫା ଦେଉଛି। ଧନ୍ୟବାଦ। ”

ଶୋଏବ ଶୋ’ ଛାଡିବା ପରେ ମଧ୍ୟ ଆଙ୍କର୍ ନୌମାନ୍ ନିଆଜଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା । ନୌମାନ୍ ନିଜ ସ୍କ୍ରିପ୍ଟ ପଢି ଚାଲିଥିଲେ, ଯେପରିକ ଶୋ’ରେ କିଛି ଘଟି ନାହିଁ | ପରେ ଶୋଏବ ଟ୍ୱିଟରରେ ଏକ ଭିଡିଓ ସେୟାର କରି ଏହି ଘଟଣାରେ ତାଙ୍କ ପକ୍ଷ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ ସେ ଏଠାରେ ହିଁ ଏହି ଘଟଣାରେ ପୂର୍ଣ୍ଣଛେଦ ପକାଇବାକୁ ଚାହୁଁଛନ୍ତି, କିନ୍ତୁ ନିଆଜ୍ ତାଙ୍କୁ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ଏହା ପରେ ସେ ଇସ୍ତଫା ଦେବା ଉଚିତ ହେବ ବୋଲି ଭାବିଥିଲେ। ଏହି ଘଟଣା ନେଇ ଶୋଏବଙ୍କୁ ପ୍ରଶଂସକମାନେ ସୋସିଆଲ ମିଡିଆରେ ସମର୍ଥନ କରିଛନ୍ତି ଏବଂ ଆଙ୍କର୍ ନିଆଜଙ୍କୁ ପିଟିଭିରୁ ହଟାଇବାକୁ ଦାବି କରିଛନ୍ତି ।

Comments are closed.