ରୁଷର ପର୍ମ ବିଶ୍ୱବିଦ୍ୟାଳୟରେ ଗୁଳିମାଡ଼, ୮ ମୃତ; ଜୀବନ ବଞ୍ଚାଇବାକୁ ଝରକା ପଟେ ତଳକୁ ଡେଇଁଲେ ଛାତ୍ର

ମସ୍କୋ: ସୋମବାର ସକାଳେ ରୁଷର ପର୍ମ ସହରର ଏକ ବିଶ୍ୱବିଦ୍ୟାଳୟ ପରିସରରେ ଗୁଳି ବିନିମୟ ପରେ ହାଇ ଆଲର୍ଟ ଜାରି କରାଯାଇଛି। ପୋଲିସ ସୂଚନାନୁସାରେ, ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର କ୍ୟାମ୍ପସରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଥିଲେ ଯେଉଁଥିରେ ଆଠ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ଡଜନେରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି।
ଏହି ଘଟଣାର କିଛି ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଛାତ୍ର ଆକ୍ରମଣକାରୀ ଠାରୁ ରକ୍ଷା ପାଇବା ପାଇଁ ଦ୍ୱିତୀୟ ମହଲାରୁ ନିଜର ଜିନିଷପତ୍ର ଫିଙ୍ଗି ତଳକୁ ଡେଇଁପଡୁଥିବା ଦେଖିବାକୁ ମିଳୁଛି। ଏଥିରେ କିଛି ଛାତ୍ର ମଧ୍ୟ ଆହତ ହୋଇଛନ୍ତି।

ଘଟଣାର ଅନ୍ୟ ଏକ ଭିଡିଓରେ ଆକ୍ରମଣକାରୀ ବନ୍ଧୁକ ସହିତ କଳା କପଡା-ହେଲମେଟ ପିନ୍ଧି କ୍ୟାମ୍ପସରେ ବୁଲୁଥିବା ଦେଖିବାକୁ ମିଳୁଛି। ପୋଲିସ କହିଛି ଯେ ଆକ୍ରମଣକାରୀ ନିଜେ ସେହି ବିଶ୍ୱବିଦ୍ୟାଳୟର ଛାତ୍ର। ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବାବେଳେ ସେ ପ୍ରଥମେ ଜଣେ ଗାର୍ଡକୁ ଗୁଳି କରିଥିଲା । ଏହାପରେ କ୍ୟାମ୍ପସରେ ବୁଲି ବୁଲି ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲା। ଶେଷରେ ପୋଲିସ ତାଙ୍କୁ ଧରିବାକୁ ସଫଳ ହୋଇଥିଲା। ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଯେତେବେଳେ ଲୋକମାନେ ଗୁଳିର ଶବ୍ଦ ଶୁଣିଥିଲେ, କେହି କେହି ଶ୍ରେଣୀଗୃହରେ ତାଲା ପକାଇ ଦେଇଥିଲେ । କିନ୍ତୁ ଅନ୍ୟମାନେ ନିଜକୁ ବଞ୍ଚେଇବା ପାଇଁ ଶ୍ରେଣୀ ଗୃହ ଝରକା ପଟେ ତଳକୁ ଡେଇଁଥିଲେ। ଏଥିଯୋଗୁଁ କିଛି ଛାତ୍ର ମଧ୍ୟ ଆହତ ହୋଇଥିବା କୁହାଯାଇଛି ।

Comments are closed.