କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ହୋଇପାରୁନି ନିଷ୍ପତ୍ତି, ଶିବକୁମାର ଓ ସିଦ୍ଧରମୈୟାଙ୍କୁ ଦିଲ୍ଲୀରେ ରହିବାକୁ କୁହାଗଲା, ଆଜି ସୋନିଆଙ୍କୁ ଭେଟିବେ ଉଭୟ ନେତା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୪ ଦିନ ପରେ ବି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରି ନାହିଁ କଂଗ୍ରେସ । ବୁଧବାର ପୂର୍ବାହ୍ନ ୧୧ ଟାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ପୁଣି ଏକ ବୈଠକ ଡକାଯାଇଛି। ବୁଧବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ପରାମର୍ଶ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରନ୍ତି ବୋଲି ମନେ କରାଯାଉଛି। ସୋନିଆ ଗାନ୍ଧୀ ବର୍ତ୍ତମାନ ଶିମଳାରେ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଦୌଡ଼ରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସଭାପତି ଡିକେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅଛନ୍ତି। ଦୁହେଁ ଏହି ରେସରୁ ଓହରିବାକୁ ପ୍ରସ୍ତୁତ ନୁହଁନ୍ତି । ଫଳରେ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ମଙ୍ଗଳବାର ଉଭୟ ନେତା ପୃଥକ୍ ଭାବେ କଂଗ୍ରେସ ସଭାପତି ଖଡ଼ଗେଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ ଭେଟିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନଥିଲା। ତେବେ ଶିବକୁମାର ଓ ସିଦ୍ଧରମୈୟାଙ୍କୁ ଦିଲ୍ଲୀରେ ରହିବାକୁ କୁହାଯାଇଛି। ଆଜି ଉଭୟ ନେତା ସୋନିଆ ଗାନ୍ଧୀଙ୍କୁ ଭେଟି ପାରନ୍ତି ।

କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ୨୨୪ଟି ଆସନ ମଧ୍ୟରୁ ୧୩୫ଟି ସିଟ୍ ପାଇ ସ୍ପଷ୍ଟ ବହୁମତ ହାସଲ କରିଥିଲା। ରବିବାର ଅନୁଷ୍ଠିତ କଂଗ୍ରେସ ବିଧାୟକ ପାର୍ଟି ବୈଠକରେ ସମସ୍ତ ବିଧାୟକ ଖଡ଼ଗେଙ୍କ ଉପରେ ନେତା ଚୟନ ନିଷ୍ପତ୍ତି ଛାଡିଥିଲେ। ଏହା ପରେ କଂଗ୍ରେସ ସଭାପତି ସମସ୍ତ ବିଧାୟକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବାକୁ ପର୍ଯ୍ୟବେକ୍ଷକମାନଙ୍କୁ କହିଥିଲେ।

ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ସିଦ୍ଧରମୈୟା ଆଗରେ ଅଛନ୍ତି । ପର୍ଯ୍ୟବେକ୍ଷକ ମାନଙ୍କ ଦ୍ୱାରା କରାଯାଇଥିବା ଏକ ଗୁପ୍ତ ଭୋଟିଂରେ (ସିକ୍ରେଟ୍ ବାଲାଟ୍) ସିଦ୍ଧରମୈୟାଙ୍କ ସପକ୍ଷରେ ଅଧିକାଂଶ ବିଧାୟକ ମତ ଦେଇଥିଲେ। ଯେତିକି କଷ୍ଟ ଉଭୟ ନେତାଙ୍କୁ ବୁଝାଇବାକୁ ହେଉନାହିଁ କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ତାଠାରୁ ଅଧିକ ଚ୍ୟାଲେଞ୍ଜ ହେଉଛି ସେମାନଙ୍କ ସମର୍ଥକଙ୍କୁ ମନାଇବା। କାରଣ ଉଭୟ ନେତାଙ୍କ ସମର୍ଥକମାନେ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି।

Comments are closed.