ସିଦ୍ଧରମୈୟା କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ, ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି କଲେ

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳର (ସିଏଲପି)ର ଗୁରୁବାର ସନ୍ଧ୍ୟାରେ ବସିଥିବା ବୈଠକରେ ସିଦ୍ଧରମୈୟା ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ।

କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଓ ଦଳର ରାଜ୍ୟ ସଭାପତି ଡିକେ ଶିବକୁମାର ଏକମାତ୍ର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଗୁରୁବାର ଘୋଷଣା କରି ପାଞ୍ଚ ଦିନ ଧରି ଲାଗି ରହିଥିବା ସସପେନ୍ସ ଦୂର କରିଥିଲେ ।

ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସିଂ ସୁରଜେୱାଲା ଏବଂ ଅନ୍ୟ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ – ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ ଏବଂ ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ ମଧ୍ୟ ଇନ୍ଦିରା ଗାନ୍ଧୀ ଭବନରେ ଅନୁଷ୍ଠିତ ନବ ନିର୍ବାଚିତ କଂଗ୍ରେସ ବିଧାୟକ, ଏମଏଲସି ଏବଂ ସାଂସଦଙ୍କ ବୈଠକରେ ଯୋଗ ଦେଇଥିଲେ ।

ସୁରଜେୱାଲା କହିଛନ୍ତି, ସିଦ୍ଧରମୈୟାଙ୍କୁ କର୍ଣ୍ଣାଟକର କଂଗ୍ରେସ ବିଧାୟକ ଦଳର ନୂଆ ନେତା ଭାବେ ମନୋନୀତ କରିବାକୁ ପ୍ରସ୍ତାବ ରଖିଥିଲେ ଶିବକୁମାର। କଂଗ୍ରେସ ଦଳର ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ଏହାକୁ ସମର୍ଥନ କରିଥିଲେ।

ଏହା ପରେ ସିଦ୍ଧରମୈୟା, ଶିବକୁମାର ଏବଂ ଅନ୍ୟ କଂଗ୍ରେସ ନେତାମାନେ ଏଠାରେ ରାଜ ଭବନରେ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟଙ୍କୁ ଭେଟି ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଥିଲେ।

ସିଦ୍ଧରମୈୟା ଏବଂ ଶିବକୁମାର ମେ ୨୦ରେ ଦିନ ୧୨:୩୦ରେ ମନୋନୀତ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ଉତ୍ସବ ବେଙ୍ଗାଲୁରୁର କାନ୍ତିର୍ବା ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

ନିର୍ବାଚନ ଫଳାଫଳ ଘୋଷଣା ହେବାର ଦିନକ ପରେ ଅର୍ଥାତ୍ ମେ ୧୪ରେ କଂଗ୍ରେସ ବିଧାୟକ ଦଳର ପ୍ରଥମ ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା ।

ସେଦିନ ଆସିଥିବା ତିନିଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ବିଧାୟକଙ୍କ ମତାମତ ସମ୍ପର୍କରେ ଖଡ଼ଗେଙ୍କୁ ଜଣାଇଥିଲେ ।

ରାଜ୍ୟର ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମେ ୧୦ରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ୧୩୫ଟି ଆସନ ଜିତିଥିବାବେଳେ ଶାସକ ବିଜେପି ୬୬ ଏବଂ ଜେଡିଏସ୍ ଯଥାକ୍ରମେ ୬୬ ଏବଂ ୧ ଟି ସିଟ୍ ଜିତିଥିଲେ ।

Comments are closed.