ସିଦ୍ଧରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ, ମେ ୨୦ରେ‌ ଶପଥ

ନୂଆଦିଲ୍ଲୀ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଲାଗି ରହିଥିବା ସସପେନ୍ସରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଶେଷରେ କଂଗ୍ରେସ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିଛି । ସିଦ୍ଧରମୈୟା ହିଁ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଏବଂ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବୁଧବାର ବିଳମ୍ବିତ ରାତିରେ ଦଳ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ରାଜ୍ୟରେ ନୂଆ ସରକାରଙ୍କ ଶପଥ ଗ୍ରହଣ ମେ ୨୦ରେ ଅନୁଷ୍ଠିତ ହେବ।

ଆଜି ସନ୍ଧ୍ୟା ୭ଟାରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଡକାଯାଇଛି। ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ମେଲ୍ ମାଧ୍ୟମରେ ଦାବି ଉପସ୍ଥାପନ କରାଯାଇଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଆଜି ସନ୍ଧ୍ୟାରେ ବିଧାୟକ ଦଳର ବୈଠକ ପୂର୍ବରୁ କର୍ଣ୍ଣାଟକ ପାଇଁ ନିଯୁକ୍ତ ତିନିଜଣ ପର୍ଯ୍ୟବେକ୍ଷକ ସୁଶୀଲ କୁମାର ସିନ୍ଦେ, ଦୀପକ ବାୱରିଆ ଏବଂ ଭଓ୍ବଁର ଜିତେନ୍ଦ୍ର ସିଂ ବେଙ୍ଗାଲୁରୁରେ ପହଞ୍ଚିବେ।

ଆଜି ସନ୍ଧ୍ୟାରେ ବେଙ୍ଗାଲୁରୁରେ ହେବାକୁ ଥିବା ଏକ ବୈଠକରେ ସିଦ୍ଧରମୈୟାଙ୍କୁ ଆନୁଷ୍ଠାନିକ ଭାବେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ କରାଯିବ। କ୍ୟାବିନେଟ୍ ରୂପରେଖ ପ୍ରାୟତଃ ଚୂଡାନ୍ତ ହୋଇସାରିଥିବା ଜଣାପଡ଼ିଛି |

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଚଳାବସ୍ଥାର ସମାଧାନ ପାଇଁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିଶ୍ରମ କରିଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଡିକେ ଶିବକୁମାର‌ଙ୍କ ସହ ସୋନିଆ ଗାନ୍ଧୀଙ୍କ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସହମତି ପ୍ରକାଶ ପାଇଥିଲା । ଭିଡ଼ିଓ କନଫରେନ୍ସ ବେଳେ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଲ ଏବଂ ରଣଦୀପ ସୁରଜେୱାଲା ମଧ୍ୟ ଉପସ୍ଥିତ ଥିଲେ।

ପାଳି ଭିତ୍ତିରେ ମୁଖ୍ୟମନ୍ତ୍ରୀ ହେବାକୁ ଦଳର ପ୍ରସ୍ତାବରେ ଶିବକୁମାର ପ୍ରଥମେ ରାଜି ହୋଇନଥିଲେ । ପରେ ସେ ସର୍ତ୍ତ ରଖିଥିଲେ ଯେ ପ୍ରଥମ ତିନି ବର୍ଷ ସେ ମୁଖ୍ୟମନ୍ତ୍ରୀ ହେବେ । ଶିବକୁମାରଙ୍କ ଜିଦ୍ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ଶିମଳାରେ ଥିବା ସୋନିଆ ଗାନ୍ଧିଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା ପରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ହୋଇଥିଲେ ଶିବକୁମାର ।

୭୫ ବର୍ଷୀୟ ସିଦ୍ଧରମୈୟା ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ। ପୂର୍ବରୁ ସେ ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ।

Comments are closed.