ସାଇନାଙ୍କ ଉପରେ ଆପତ୍ତିଜନକ ଟୁଇଟ୍ ପାଇଁ କ୍ଷମା ମାଗିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଷ୍ଟାର୍ ସାଇନା ନେହୱାଲଙ୍କ ଉପରେ ଆପତ୍ତିଜନକ ଟୁଇଟ୍ କରି ଚାରିଆଡୁ ସମାଲୋଚିତ ହେବା ପରେ ଅଭିନେତା ସିଦ୍ଧାର୍ଥ ଶେଷରେ ସାଇନାଙ୍କୁ କ୍ଷମା ମାଗିଛନ୍ତି। ସୋସିଆଲ ମିଡିଆରେ ଏକ ଖୋଲା ଚିଠି ପୋଷ୍ଟ କରି ସେ ତାଙ୍କ ଭୁଲ୍ ମାନିଛନ୍ତି। ସିଦ୍ଧାର୍ଥ ଲେଖିଛନ୍ତି, ‘ମୋର କ୍ରୂର ଥଟ୍ଟା ପାଇଁ ମୁଁ ଆପଣଙ୍କୁ କ୍ଷମା ମାଗିବାକୁ ଚାହୁଁଛି। କ୍ରୋଧ ଏବଂ ନିରାଶାରେ ମୁଁ ବ୍ୟବହାର କରିଥିବା ଶବ୍ଦଗୁଡ଼ିକ ଯଥାର୍ଥ ହୋଇପାରିବ ନାହିଁ | ଜଣେ ମହିଳା ଭାବେ ଆପଣଙ୍କୁ ଅପମାନିତ କରିବା ମୋର କୌଣସି ଉଦ୍ଦେଶ୍ୟ ନଥିଲି। ‘

ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ସାଇନା ପ୍ରଶ୍ନ ଉଠାଇଥିଲେ। ସିଦ୍ଧାର୍ଥ ଏଥିରେ ରାଗିଯାଇ ତାଙ୍କ ଉପରେ ଏକ ଟୁଇଟ୍ କରିଥିଲେ, ଯେଉଁଥିରେ ସେ ଏକ ଦ୍ବିଅର୍ଥ ବୋଧକ ଶବ୍ଦ ବ୍ୟବହାର କରିଥିଲେ ।

ସାଇନାଙ୍କ ଉପରେ ସିଦ୍ଧାର୍ଥଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ଟ୍ୱିଟରରେ ଅନେକ ସେଲିବ୍ରିଟି ତାଙ୍କୁ ଭର୍ତ୍ସନା କରିଥିଲେ। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନିଆଯିବା ଉଚିତ ବୋଲି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ। ଏଥି ସହିତ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା, ସିଦ୍ଧାର୍ଥଙ୍କ ଟ୍ବିଟର୍ ଆକାଉଣ୍ଟକୁ ବ୍ଲକ୍ କରିବାକୁ ଦାବି କରିଥିଲେ। ସେ କହିଥିଲେ ଯେ ମହିଳାଙ୍କ ବିରୋଧରେ ସେ ବାରମ୍ବାର ଖରାପ ଭାଷା ବ୍ୟବହାର କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ସିଦ୍ଧାର୍ଥଙ୍କୁ ସମାଲୋଚନା କରି କହିଥିଲେ ଯେ ଏକ ଆଇକନ୍ ଉପରେ ଏପରି ଅଶ୍ଲୀଳ ଟିପ୍ପଣୀ କରିବା ମଣିଷର ନୀଚ୍ଚ ଏବଂ ହୀନ ମାନସିକତାକୁ ଦର୍ଶାଏ |

ଲଣ୍ଡନ ଅଲିମ୍ପିକ୍ସ ୨୦୧୨ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ପିତା ହରବୀର ସିଂ ନେହୱାଲ କହିଛନ୍ତି ଯେ ଯେତେବେଳେ ସେ ମୋ ଝିଅ ପାଇଁ ଏପରି ଶବ୍ଦ ବ୍ୟବହାର କରିଥିଲେ, ମୋତେ ବହୁତ ଖରାପ ଲାଗିଥିଲା। ସେ (ସିଦ୍ଧାର୍ଥ) ଦେଶ ପାଇଁ କ’ଣ କରିଛନ୍ତି? ସାଇନା ପଦକ ଜିତିଛନ୍ତି, ଦେଶ ପାଇଁ ସୁନାମ ଆଣିଛନ୍ତି | ଏହି ଘଟଣାରେ ପରିବାର ଏବଂ ସାଇନା ଅତ୍ୟନ୍ତ ନିରାଶ ଅଛନ୍ତି। ସେ କହିଥିଲେ ଯେ ମୁଁ ଏହି ଅଭିନେତା(ସିଦ୍ଧାର୍ଥ)ଙ୍କୁ ଜାଣି ନାହିଁ, ସେ ପ୍ରଥମ ଥର ପାଇଁ ତାଙ୍କ ନାମ ଶୁଣିଛନ୍ତି।

Comments are closed.