ବ୍ୟାଙ୍କ୍ ଲକର ଯାଞ୍ଚ୍ ପରେ ସିବିଆଇ କ୍ଲିନ୍ ଚିଟ୍ ଦେଇଥିବା ସିସୋଦିଆଙ୍କ ଦାବି

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦାବି କରିଛନ୍ତି ଯେ ସିବିଆଇ ତାଙ୍କ ବ୍ୟାଙ୍କ ଲକରରୁ କିଛି ପାଇନାହିଁ।

ମନୀଷ ସିସୋଦିଆଙ୍କ ଲକର ଯାଞ୍ଚ୍ ପାଇଁ ଉତ୍ତରପ୍ରଦେଶ ଗାଜିଆବାଦର ବସୁନ୍ଧରା ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆଜି ସିବିଆଇର ଏକ ଟିମ୍ ପହଞ୍ଚିଥିଲା।

ମନୀଷ ସିସୋଦିଆ ମଧ୍ୟ ବ୍ୟାଙ୍କରେ ପହଞ୍ଚିଥିଲେ। ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଯେପରି ସିବିଆଇ ତାଙ୍କ ବାସଭବନରୁ କିଛି ପାଇନଥିଲା, ସେହିଭଳି ବ୍ୟାଙ୍କ ଲକରରୁ ମଧ୍ୟ ଏହି କେନ୍ଦ୍ରୀୟ ସଂସ୍ଥାକୁ କିଛି ମିଳିନାହିଁ।

ସେ କହିଛନ୍ତି- “ମୁଁ ଖୁସି ଯେ ମୋତେ କ୍ଲିନ୍ ଚିଟ୍ ମିଳିଛି | ସିବିଆଇ ଅଧିକାରୀମାନେ ଭଲ ଆଚରଣ କରିଥିଲେ ଏବଂ ଆମେ ମଧ୍ୟ ସେମାନଙ୍କ ସହ ସହଯୋଗ କରିଥିଲୁ। ସତ୍ୟର ବିଜୟ ହୋଇଛି |”

ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଜାରି ରଖିଛି। ଏଥିପାଇଁ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସୁପାରିସ କରିଥିଲେ।

ନିକଟରେ ସିବିଆଇ ମନୀଷ ସିସୋଦିଆଙ୍କ ଘରେ ମଧ୍ୟ ଚ ଚଢ଼ାଉ କରିଥିଲା। ସେବେଠାରୁ ବିଜେପି ଏବଂ ଆମ୍ ଆଦମୀ ପାର୍ଟି ମୁହାଁମୁହିଁ ହୋଇଛନ୍ତି।

ବିଜେପି ସରକାର କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଏବଂ ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଥିବା ଆପ୍ ଅଭିଯୋଗ କରିଛି ।

ଅନ୍ୟପକ୍ଷରେ କେଜ୍ରିୱାଲ ସରକାରଙ୍କ ଅବକାରୀ ନୀତିରେ ବଡ଼ ଘୋଟାଲା ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ଏବେ ଆପ୍ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ବିରୋଧରେ ପାଲଟା ଦୁର୍ନୀତି ଅଭିଯୋଗ ଆଣି ତଦନ୍ତ ଦାବି କରିଛି।

Comments are closed.