ବଢ଼ିଲା ସୋନୁଙ୍କ ଅଡ଼ୁଆ, ୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଟିକସ ଫାଙ୍କି ଅଭିଯୋଗ ଆଣିଲା ଆୟକର ବିଭାଗ

ନୂଆଦିଲ୍ଲୀ: ଆୟକର ବିଭାଗର ମାରାଥନ୍ ଚଢ଼ାଉ ପରେ ଅଭିନେତା ସୋନୁ ସୁଦଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ସୋନୁଙ୍କ ଅଫିସ ଓ ଘରେ ଲଗାତାର ଦୁଇ ଦିନ ଛାନଭିନ୍ ପରେ ଆୟକର ବିଭାଗ ଶନିବାର କହିଛି ଯେ ସୋନୁ ସୁଦ ପ୍ରାୟ ୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଟିକସ ଫାଙ୍କିଛନ୍ତି । ଆୟକର ବିଭାଗ ସୂଚନା ଅନୁଯାୟୀ ବୈଦେଶିକ ଯୋଗଦାନ ନିୟାମକ ଆଇନ (ଏଫସିଆରଏ)ର ଉଲ୍ଲଂଘନ ବ୍ୟତୀତ ସୋନୁ ଏବଂ ତାଙ୍କ ସହଯୋଗୀମାନେ ୨୦ କୋଟି ଟଙ୍କାର ଟିକସ ଚୋରି କରିଛନ୍ତି। ଟିକସ ଚୋରି ଅଭିଯୋଗରେ ଆୟକର ବିଭାଗ ଶୁକ୍ରବାର ମୁମ୍ବାଇ, ନାଗପୁର ଏବଂ ଜୟପୁର ସ୍ଥିତ ସୋନୁଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲା ।

ଏକ ବିବୃତ୍ତିରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) କହିଛି ଯେ ସୋନୁ ଏବଂ ତାଙ୍କ ସହଯୋଗୀଙ୍କ ଘରେ ଓ ଅଫିସରେ ଯାଞ୍ଚ୍ ସମୟରେ ଟିକସ ଚୋରି ପ୍ରମାଣ ମିଳିଛି। ସୋନୁ ବେନାମୀ ସଂସ୍ଥାଗୁଡ଼ିକରେ ଋଣ ଆକାରରେ ବହୁ ଟଙ୍କା ଜମା କରିଥିଲେ। ଆୟକର ବିଭାଗ ସୋନୁଙ୍କ ମୁମ୍ବାଇ ଏବଂ ଲକ୍ଷ୍ନୌ ସ୍ଥିତ ରିଏଲ୍ ଇଷ୍ଟେଟ୍ ଗ୍ରୁପ୍‌ରେ ସର୍ଚ୍ଚ ଅପରେସନ କରିଥିଲା। ଦୁଇ ଦିନ ମଧ୍ୟରେ ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ ଏବଂ ଗୁରୁଗ୍ରାମରେ ମୋଟ ୨୮ଟି ସ୍ଥାନରେ ଛାନଭିନ୍ କରିଥିଲା ଆୟକର ବିଭାଗ।

Comments are closed.