ଦ୍ୱିତୀୟ ଟେଷ୍ଟ: ୨୪୦ ରନର ବିଜୟ ଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ୧୧୮/୨

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ରହିଛି । ଦକ୍ଷିଣ ଆଫ୍ରିକାକୁ ଭାରତ ୨୪୦ ରନର ଟାର୍ଗେଟ୍ ଦେଇଛି । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୧୮ ରନ୍ କରିଛି । ବିଜୟ ପାଇଁ ଭାରତକୁ ଆହୁରି ୮ ୱିକେଟ୍ ଦରକାର ହେଉଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ୧୨୨ ରନ୍ ଆବଶ୍ୟକ । ଷ୍ଟମ୍ପ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ଅଧିନାୟକ ଡିନ୍ ଏଲଗାର ୪୬ ଏବଂ ରାସି ଭାନ୍ ଡର ଡୁସେନ୍ ୧୧ ରନ୍ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

ଖରାପ ଫର୍ମ ପାଇଁ ଚାପରେ ଥିବା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଶେଷରେ ଫର୍ମକୁ ଫେରି ସମୟୋପଯୋଗୀ ଅର୍ଦ୍ଧଶତକ ହାସଲ କରିଥିଲେ । ହେଲେ ଏହି ଦୁଇ ଭେଟେରାନଙ୍କୁ ଛାଡ଼ି ଦେଲେ ଭାରତର ଅନ୍ୟ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଥିଲେ । ଯେଉଁ କାରଣରୁ ଭାରତ ଦ୍ୱିତୀୟ ଇନିଂସରେ କେବଳ ୨୬୬ ରନ୍ କରି ଅଲଆଉଟ୍ ହୋଇଥିଲା । ୨୪୦ ରନର ବିଜୟଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ସତର୍କତାର ସହ ଚେଜ୍ ଆରମ୍ଭ କରିଥିଲା । ପ୍ରଥମ ୱିକେଟ୍ ପାଇଁ ଏଡେନ୍ ମାର୍କରମ ଓ ଏଲଗାର ୪୭ ରନ୍ ଯୋଗ କରିଥିଲେ । ପ୍ରଥମ ଇନିଂସରେ ୭ ୱିକେଟ୍ ନେଇଥିବା ଶାର୍ଦ୍ଦୁଲ ମାର୍କରମଙ୍କୁ ଆଉଟ୍ କରି ଶେଷରେ ଭାରତକୁ ପ୍ରତୀକ୍ଷିତ ସଫଳତା ଦେଇଥିଲେ । ମାର୍କରମ୍ ୩୧ ରନ୍ କରି ଶାର୍ଦ୍ଦୁଲଙ୍କ ବଲରେ ଲେଗ୍ ବିଫୋର ଆଉଟ୍ ହୋଇଥିଲେ । ଏହାପରେ କିଗାର ପିଟରସନ୍ (୨୮) କ୍ରିଜରେ ଏଲଗାରଙ୍କ ସହ ଯୋଗ ଦେଇ ସ୍କୋରକୁ ଆଗେଇ ନେଇଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୪୬ ରନ୍ ଯୋଗ କରିଥିଲେ । ଏଲଗାରଙ୍କୁ ଆଉଟ୍ କରି ଅଶ୍ୱିନ୍ ଏହି ଯୋଡ଼ି ଭାଙ୍ଗିଥିଲେ । ତେବେ ଏଲଗାର ଭାରତୀୟ ବୋଲରଙ୍କ ଚ୍ୟାଲେଞ୍ଜ ପ୍ରତିହତ କରି କ୍ରିଜରେ ଅଛନ୍ତି । ଅନଭିଜ୍ଞ ଦକ୍ଷିଣ ଆଫ୍ରିକାର ବିଜୟ ଏଲଗାରଙ୍କ ଉପରେ ନିର୍ଭର କରୁଛି । ଚତୁର୍ଥ ଦିବସରେ ଭାରତ ଯଥା ସମ୍ଭବ ଶୀଘ୍ର ଏଲଗାରଙ୍କୁ ଆଉଟ୍ କରି ଅବଶିଷ୍ଟ ୱିକେଟ୍ ଖସାଇବାକୁ ପଡ଼ିବ ନଚେତ ୍ ମ୍ୟାଚ୍ ହାତରୁ ଖସିଯିବ ।

ତୃତୀୟ ଦିବସରେ ଭାରତ ୮୫/୨ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ପୂଜାରା ଓ ରାହାଣେ ଆଜି ମଧ୍ୟ ସେହି ଅନ୍ଦାଜରେ ବ୍ୟାଟିଂ କରିଥିଲେ। ବିଶେଷକରି ଆଜି ରାହାଣେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ପ୍ରଥମେ ପୂଜାରା ୬୨ ବଲରେ ଏବଂ ପରେ ରାହାଣେ ୬୭ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୧୧ ରନର ଶତକୀୟ ଭାଗିଦାରୀ କରିଥିଲେ, ଯାହା ବଳରେ ଭାରତର ସ୍କୋର ୧୫୦ ରନ୍ ଅତିକ୍ରମ କରିଥିଲେ। ତେବେ ଉଭୟ ରାହାଣେ ଓ ପୂଜାରାଙ୍କୁ ରବାଡା ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଡବଲ୍ ସଫଳତା ଦେଇଥିଲେ।

ୱିକେଟ୍ କିପର ଋଷଭ ପନ୍ତ ଖାତା ଖୋଲିପାରିନଥିଲେ। ତେବେ ହନୁମା ବିହାରୀ, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଶାର୍ଦ୍ଦୁଲ ଠାକୁରଙ୍କ ଯୋଗଦାନ ବଳରେ ଭାରତ ୨୬୬ ରନରେ ପହଞ୍ଚିପାରିଥିଲା। ବିହାରୀ ୪୦ ରନ୍ କରି ଅପରାଜିତ ଥିଲେ। ଶାର୍ଦ୍ଦୁଲ ୨୪ ବଲରେ ୫ ଚୌକା ଓ ୧ ଛକା ସହ ୨୮, ଅଶ୍ୱିନ୍ ୧୪ ବଲରେ ୧୬ ରନ୍ କରିଥିଲେ। ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଖାତା ଖୋଲିପାରିନଥିବା ବେଳେ ଯଶପ୍ରୀତ ବୁମ୍ରା ୭ ରନ୍ କରି ଆଉଟ୍ ହୋଇଥିଲେ।

Comments are closed.