ତୃତୀୟ ଟେଷ୍ଟରେ ଭାରତ ୭ ଓ୍ବିକେଟରେ ହାରିଲା, ଦକ୍ଷିଣ ଆଫ୍ରିକା ୨-୧ରେ ସିରିଜ୍ ବିଜୟୀ

କେପଟାଉନ: ତୃତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ୱିକେଟରେ ହରାଇ ଦେଇଛି। ଏଥିସହ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ କବଜା କରିଛି । ଭାରତ ପ୍ରଦତ୍ତ ୨୧୨ ରନ୍‌ର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ଆଜି ଚତୁର୍ଥ ଦିବସର ଲଞ୍ଚ୍ ବିରତି ପରେ ମାତ୍ର ୩ ୱିକେଟ୍ ହରାଇ ହାସଲ କରିଥିଲା। ଏହି ଗ୍ରାଉଣ୍ଡରେ ଚତୁର୍ଥ ଥର ପାଇଁ ଏକ ଦଳ ୨୦୦+ ଟାର୍ଗେଟକୁ ପିଛା କରି ବିଜୟୀ ହୋଇଛି ।

ଚତୁର୍ଥ ଦିବସରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆଉ ୧୧୧ ରନ୍ ଓ ଭାରତକୁ ୮ ଓ୍ବିକେଟ୍ ଆବଶ୍ୟକ ହେଉଥିଲା । ହେଲେ ଭାରତୀୟ ବୋଲର ଆଜି କେବଳ ଗୋଟିଏ ଓ୍ବିକେଟ୍ ହିଁ ପାଇଥିଲେ ।

ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ସିରିଜ୍ ଜିତିବା ପାଇଁ ଭାରତ ପାଖରେ ଏଥର ସୁବର୍ଣ୍ଣ ସୁଯୋଗ ଥିଲା । କାରଣ ଭାରତ ତୁଳନାରେ ଦକ୍ଷିଣ ଆଫ୍ରିକା ବେଶ୍ ଅନଭିଜ୍ଞ ଥିଲା । ହେଲେ ସେଞ୍ଚୁରିଅନରେ ପ୍ରଥମ ଟେଷ୍ଟ ହାରିବା ପରେ ଦକ୍ଷିଣ ଆଫ୍ରିକାର ଯୁବକ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଭାରତର ଆଶା ଧୂଳିସାତ କରିଛି । ଦକ୍ଷିଣ ଆଫ୍ରିକାରେ ପ୍ରଥମ ସିରିଜ ବିଜୟ ନେଇ ଭାରତର ଅପେକ୍ଷା ଆହୁରି ଲମ୍ବିଛି ।

ଦକ୍ଷିଣ ଆଫ୍ରିକାର ବିଜୟରେ କିଗାନ୍ ପିଟରସନ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ପ୍ରଥମ ଇନିଂସରେ ୭୨ ରନ୍ କରିଥିବା ପିଟରସନ ଦ୍ୱିତୀୟ ଇନିଂସରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ୮୨ ରନ୍ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ ​​|

Comments are closed.