ଦ୍ୱିତୀୟ ଟେଷ୍ଟରେ ଭାରତକୁ ୭ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା, ସିରିଜ୍ ୧-୧

ଜୋହାନ୍ସବର୍ଗ: ପ୍ରଥମ ଟେଷ୍ଟରେ ହାରିବା ପରେ ଦକ୍ଷିଣ ଆଫ୍ରିକା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଜୋହାନ୍ସବର୍ଗର ୱାନଡର୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତକୁ ୭ ୱିକେଟରେ ହରାଇ ଦେଇଛି। ଏହା ସହ ଘରୋଇ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ରେ ବରାବର ସ୍ଥିତିକୁ ଆଣିଛି।

ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୪୦ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏ‌ହାର ଜବାବରେ ଦଳ ମାତ୍ର ତିନି ୱିକେଟ୍ ହରାଇ ସହଜରେ ମ୍ୟାଚ୍ ଜିତି ନେଇଛି । ଦକ୍ଷିଣ ଆଫ୍ରିକାର ଏହି ଚମତ୍କାର ବିଜୟର କ୍ୟାପଟେନ ଡିନ ଏଲଗାର ହିରୋ ସାଜିଛନ୍ତି ।

ଏଲଗାର ୧୮୮ ଟି ବଲରେ ୧୦ଟି ଚୌକା ସହ ୯୬ ରନର ଅପରାଜିତ ଇନିଂସ ଖେଳିଥିଲେ | ଟେମ୍ବା ବାଭୁମା ମଧ୍ୟ ତାଙ୍କ ସହ ୨୩ ରନ୍‌ରେ ଅପରାଜିତ ରହିଥିଲେ। ଉଭୟ ଚତୁର୍ଥ ୱିକେଟ୍ ପାଇଁ ଉଭୟେ ଅପରାଜିତ ୬୮ ରନ୍ ଭାଗିଦାରୀ କରି ଦଳର ବିଜୟ ନିଶ୍ଚିତ କରିଥିଲେ ।

ଜୋହାନ୍ସବର୍ଗରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୦୨ ରନ୍ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୯ ରନ୍ ସଂଗ୍ରହ କରି ୨୭ ରନ୍ ଅଗ୍ରଣୀ ହାସଲ କରିଥିଲା ​​| ଏହା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୬୬ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଫଳରେ ଦକ୍ଷିଣ ଆଫ୍ରିକାକୁ ୨୪୦ ରନ୍ ଟାର୍ଗେଟ୍ ମିଳିଥିଲା। ଏହାର ଜବାବରେ ତୃତୀୟ ଦିନ ଖେଳ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦୁଇ ୱିକେଟ୍ ହରାଇ ୧୧୮ ରନ୍ କରିଥିଲା । ଆଜି ଚତୁର୍ଥ ଦିବସରେ ଆଉ ମାତ୍ର ଗୋଟିଏ ଓ୍ବିକେଟ୍ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା ।

Comments are closed.