ଆଜିଠାରୁ ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ, ସରକାର ଆଣିବେ ୮ଟି ବିଲ୍

ନୂଆଦିଲ୍ଲୀ: ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଏହି ସ୍ଵତନ୍ତ୍ର ଅଧିବେଶନର ପ୍ରଥମ ଦିନର ବୈଠକ ପୁରୁଣା ସଂସଦ ଗୃହରେ ବସିବାକୁ ଥିବାବେଳେ ଦ୍ବିତୀୟ ଦିନଠୁ ନୂଆ ସଂସଦ ଭବନରେ‌ କାମ ହେବ । ସ୍ବତନ୍ତ୍ର ଅଧିବେଶନରେ ସରକାର କିଛି ଗୋପନ ଏଜେଣ୍ଡା ଘୋଷଣା କରିପାରନ୍ତି ବୋଲି ବିରୋଧୀ ଶିବିରରେ ଚର୍ଚ୍ଚା ହେଉଛି । ହେଲେ ସରକାର କହିଛନ୍ତି ଯେ ଏହି ଅଧିବେଶନରେ ୮ଟି ବିଲ୍ ଆଗତ ହେବ ।

ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ସଂସଦୀୟ ଗଣତନ୍ତ୍ରର ୭୫ ବର୍ଷ ଯାତ୍ରା ଉପରେ ଆଲୋଚନା ହେବ । ସଂସଦୀୟ ବୁଲେଟିନ୍ ଅନୁଯାୟୀ, ପ୍ରଥମ ଦିନରେ ୭୫ ବର୍ଷର ସଂସଦୀୟ ଯାତ୍ରାର ଉପଲବ୍ଧି, ଅଭିଜ୍ଞତା, ସ୍ମୃତି ଏବଂ ଶିକ୍ଷା ବିଷୟରେ ଆଲୋଚନା କରାଯିବ।

ଏହା ସହ ପାଞ୍ଚ ଦିନିଆ ଅଧିବେଶନରେ ପୋଷ୍ଟ ଅଫିସ୍ ବିଲ୍ ୨୦୨୩, ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ବନ୍ଧୀୟ ବିଲ୍ ଆଗତ ହେବ | ଏହାଛଡ଼ା ଅଧିବକ୍ତା (ସଂଶୋଧନ) ବିଲ୍ ୨୦୨୩ ଏବଂ ପ୍ରେସ୍ ଏବଂ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ସ ବିଲ୍ ମଧ୍ୟ ଉପସ୍ଥାପନ କରାଯିବ। ଏହି ସ୍ଵତନ୍ତ୍ର ଅଧିବେଶନରେ ସରକାର ମୋଟ ୮ଟି ବିଲ୍ ଆଣିବେ।

ସ୍ୱତନ୍ତ୍ର ଅଧିବେଶନର ଶେଷ ତିନି ଦିନରେ ସରକାର ଏହି ବିଲ୍ ଗୁଡିକ ଗୃହରେ ଆଗତ କରିବେ ବୋଲି କୁହାଯାଇଛି । ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ବିଜେପି ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦଙ୍କୁ ହ୍ବିପ୍ ଜାରି କରିସାରିଛି।

ଉଲ୍ଲେଖଯୋଗ୍ୟ, ସଂସଦର ସ୍ୱତନ୍ତ୍ର ଅଧିବେଶନ ସମ୍ପର୍କରେ କେନ୍ଦ୍ର ସରକାର ରବିବାର ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ବୈଠକରେ ସମସ୍ତ ଦଳ ଯୋଗ ଦେଇଥିଲେ। ଅଧିକାଂଶ ବିରୋଧୀ ଦଳ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ଗୁରୁତ୍ୱାରୋପ କରିଥିଲେ । ସର୍ବଦଳୀୟ ବୈଠକ ସମ୍ପର୍କରେ ସୂଚନା ଦେବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ଏହି ବୈଠକରେ ସମସ୍ତ ଦଳ ଭିନ୍ନ ଭିନ୍ନ ଦାବି ଉଠାଇଥିଲେ, କିନ୍ତୁ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖର ରବିବାର ନୂଆ ସଂସଦ ଗୃହ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉପରାଷ୍ଟ୍ରପତି ଏହାକୁ ଦେଶର ବିକାଶ ଯାତ୍ରାରେ ଏକ ଐତିହାସିକ ମୁହୂର୍ତ୍ତ ଏବଂ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି ।

Comments are closed.