କକପିଟ୍ ଭିତରେ କଫି-ସିଙ୍ଗଡ଼ା ସହ ହୋଲି ସେଲିବ୍ରସନ୍, ଦୁଇ ପାଇଲଟଙ୍କୁ ହଟାଇଲା ସ୍ପାଇସଜେଟ୍ 

ନୂଆଦିଲ୍ଲୀ: ଯାତ୍ରୀଙ୍କ ଜୀବନ ବିପଦରେ ପକାଇ ବିମାନ କକପିଟରେ କଫି ପିଇବା ଏବଂ ସିଙ୍ଗଡ଼ା ଖାଇବା ଅଭିଯୋଗରେ ଏୟାରଲାଇନ କମ୍ପାନୀ ସ୍ପାଇସଜେଟ୍ ଏହାର ଦୁଇ ପାଇଲଟଙ୍କୁ ଡ୍ୟୁଟିରୁ ହଟାଇ ଦେଇଛି।

ଦିଲ୍ଲୀ-ଗୁଆହାଟୀ ସ୍ପାଇସଜେଟ୍ ବିମାନର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଫଟୋରେ କଣ୍ଟ୍ରୋଲ୍ ପ୍ୟାନେଲ ଉପରେ କପ୍ ରଖାଯାଇଥିବା ଦେଖାଯାଉଛି। ଯାତ୍ରୀଙ୍କ ସୁରକ୍ଷା ଚିନ୍ତା ନକରି ପାଇଲଟ୍ କକପିଟ୍ ଭିତରେ କଫି, ସିଙ୍ଗଡ଼ା ସହ ହୋଲି ପାଳୁଥିଲେ ।

ବିମାନ ସୁରକ୍ଷା ନିୟମ ଅନୁଯାୟୀ କକପିଟ୍ ଭିତରେ ଖାଇବା ମନା ।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସେହି ସମୟରେ ବିମାନଟି ୩୭ ହଜାର ଫୁଟ ଉଚ୍ଚରେ ଉଡୁଥିଲା। ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସମ୍ପୃକ୍ତ ଏୟାରଲାଇନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ଦାବି କରିଛନ୍ତି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ପାଇସଜେଟ୍ କହିଛି ଯେ, ଘଟଣାର ତଦନ୍ତ ଜାରି ରହିଛି ଏବଂ ଦୋଷୀ ପାଇଲଟଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି।

କମ୍ପାନୀର ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ତଦନ୍ତ ଶେଷ ହେବା ପରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.