ଯୌନ ଶୋଷଣ ଅଭିଯୋଗ ପରେ ଭାରତୀୟ କୁସ୍ତି ମହାସଂଘଠୁ ସ୍ପଷ୍ଟୀକରଣ ଲୋଡ଼ିଲା କ୍ରୀଡ଼ା ମନ୍ତ୍ରାଳୟ  | News Room Odisha

ଯୌନ ଶୋଷଣ ଅଭିଯୋଗ ପରେ ଭାରତୀୟ କୁସ୍ତି ମହାସଂଘଠୁ ସ୍ପଷ୍ଟୀକରଣ ଲୋଡ଼ିଲା କ୍ରୀଡ଼ା ମନ୍ତ୍ରାଳୟ 

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ପରେ ମହିଳାମାନଙ୍କ ଜାତୀୟ ରେସଲିଂ କୋଚିଂ କ୍ୟାମ୍ପ ବାତିଲ କରାଯାଇଛି। ଅନ୍ୟପକ୍ଷରେ ରେସଲର ମାନଙ୍କ ଅଭିଯୋଗ ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଡବ୍ଲୁଏଫ୍ଆଇ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଛି। ବ୍ରଜ ଭୂଷଣ ଶରଣ ସିଂହ ବର୍ଷ ବର୍ଷ ଧରି ମହିଳା କୁସ୍ତିଯୋଦ୍ଧା ମାନଙ୍କ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଅଲିମ୍ପିକ୍ ଓ ବିଶ୍ବ ଚାମ୍ପିୟନସିପ ପଦକ ବିଜେତା କୁସ୍ତିଯୋଦ୍ଧାମାନେ ଏପରି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଅଭିଯୋଗକୁ ବ୍ରଜ ଭୂଷଣ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଫାଶୀ ଦିଆଯାଉ। ସେ କହିଛନ୍ତି, ‘ମୋ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଯୌନ ଉତ୍ପୀଡ଼ନର ଯଦି ଗୋଟିଏ ମାମଲା ପ୍ରମାଣିତ ହୁଏ ତେବେ ମୁଁ ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ | ମୁଁ ଡବ୍ଲୁଏଫ୍ଆଇ ସଭାପତି ପଦ ଛାଡିବି ନାହିଁ, କିନ୍ତୁ ସିବିଆଇ କିମ୍ବା ପୋଲିସ ତଦନ୍ତ ପାଇଁ ପ୍ରସ୍ତୁତ ଅଛି। ମୋ ବିରୋଧରେ ଏହି ଷଡଯନ୍ତ୍ର ପଛରେ ଜଣେ ଶିଳ୍ପପତି ଅଛନ୍ତି। ହତ୍ୟା ଧମକ ପାଇବା ପରେ ଭିନେଶ ଫୋଗାଟ କାହିଁକି ପୋଲିସ ସହ ଯୋଗାଯୋଗ କଲେ ନାହିଁ?

ଡବ୍ଲୁଏଫ୍ଆଇ ସଭାପତିଙ୍କୁ ହଟାଇବାକୁ ଦାବି କରି ଷ୍ଟାର ରେସଲର ଭିନେଶ ଫୋଗାଟ ଏବଂ ସାକ୍ଷୀ ମଲିକଙ୍କ ସମେତ ବହୁ ରେସଲର ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିଲେ। ସ୍ୱର୍ଣ୍ଣ ପଦକ ବିଜେତା ଭିନେଶ ଫୋଗେଟ୍ କହିଛନ୍ତି ଯେ କୋଚ୍ ମହିଳା ରେସଲରଙ୍କୁ ହଇରାଣ କରୁଛନ୍ତି ଏବଂ ସଂଘର କିଛି ପସନ୍ଦର କୋଚ୍ ମହିଳା କୋଚଙ୍କ ସହ ମଧ୍ୟ ଅସଦାଚରଣ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏହି ମାମଲାରେ ସେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ ।