ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା

କଲମ୍ବୋ: ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ଗାଦି ଛାଡ଼ିବାକୁ ପଡ଼ିଛି । ମହିନ୍ଦା ରାଜପକ୍ଷେ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ଦିନ ଧରି ଦେଶରେ ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଦେଶର ଦୁର୍ଦ୍ଦଶା ପାଇଁ ଲୋକମାନେ ମହିନ୍ଦା ରାଜପକ୍ଷେ ଇସ୍ତଫା ଦାବି କରିଥିଲେ। ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟ ଯୋଗୁଁ ରାଜପକ୍ଷେ ଚାରିଆଡ଼ୁ ସମାଲୋଚନାର ଶିକାର ହୋଇଥିଲେ। ବିକ୍ଷୋଭକାରୀ ମଧ୍ୟ ମହିନ୍ଦା ରାଜପକ୍ଷେଙ୍କ ଭାଇ ତଥା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରିଛନ୍ତି।

ପୂର୍ବରୁ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ଜନସାଧାରଣଙ୍କ ଅସନ୍ତୋଷ ଓ କ୍ରୋଧକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ମହିନ୍ଦା ରାଜପକ୍ଷେ ଏପରି ଖବରକୁ ଅସ୍ୱୀକାର କରିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତି ତାଙ୍କୁ ସେପରି କୌଣସି ଅନୁରୋଧ କରିନାହାନ୍ତି ଏବଂ ସେ ଇସ୍ତଫା ଦେବେ ନାହିଁ। ଶ୍ରୀଲଙ୍କା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାସକ ଏସଏଲପିପି ଏବଂ ସହଯୋଗୀମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବ୍ୟାପକ ହେଉଥିବାରୁ ସୋମବାର ଶ୍ରୀଲଙ୍କା କର୍ତ୍ତୃପକ୍ଷ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ କାର୍ଯ୍ୟାଳୟ ବାହାରେ ସରକାରୀ ସମର୍ଥକ ଗୋଷ୍ଠୀ ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ କରିବା ପରେ ରାଜଧାନୀ କଲମ୍ବୋରେ ସେନା ମୁତୟନ କରାଯାଇଛି । ଏହି ଘଟଣାରେ ଅତି କମରେ ୨୩ ଜଣ ଆହତ ହୋଇଛନ୍ତି।

Comments are closed.