ହାଇଦ୍ରାବାଦ: ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ପାଇଁ ଟିକେଟ୍ ବିକ୍ରି ବେଳେ ଦଳାଚକଟା, ଅନେକ ଆହତ

ହାଇଦ୍ରାବାଦ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-ଟ୍ୱେଣ୍ଟି ପାଇଁ ଟିକେଟ୍ ବିକ୍ରି ସମୟରେ ଗୁରୁବାର ହାଇଦ୍ରାବାଦର ଜିମଖାନା ଗ୍ରାଉଣ୍ଡରେ ଦଳାଚକଟା ଘଟି ବହୁ ପ୍ରଶଂସକ ଆହତ ହୋଇଛନ୍ତି । ଏହି ମ୍ୟାଚ୍ ୨୫ ସେପ୍ଟେମ୍ବରରେ ହାଇଦ୍ରାବାଦର ରାଜୀବଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଆଜି ସକାଳ ୧୦ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା | ଦଳାଚକଟାରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଟିକେଟ୍ କିଣିବା ପାଇଁ କ୍ରିକେଟ୍ ଫ୍ୟାନ୍ ମାନେ ବୁଧବାର ରାତି ୩ଟାରୁ ହିଁ ଷ୍ଟାଡିୟମ ବାହାରେ ଲାଇନ୍ ଲଗାଇଥିଲେ। ସକାଳେ ଭିଡ଼ ଏତେ ବଢ଼ି ଯାଇଥିଲା ଯେ ଏହାକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା । ଏହାପରେ ଦଳାଚକଟା ଘଟି ବହୁ ଲୋକ ଆହତ ହୋଇଥିଲେ। ବିକ୍ରି ପାଇଁ ଯେତିକି ଟିକେଟ ଉପଲବ୍ଧ ଥିଲା ତାଠାରୁ ଅଧିକ ଲୋକଙ୍କ ଭିଡ଼ ଜମିଥିଲା ବୋଲି କୁହାଯାଇଛି।

ହାଇଦ୍ରାବାଦରେ ଦୀର୍ଘ ଦିନର ବ୍ୟବଧାନ ପରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ହେଉଥିବାରୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା କ୍ରେଜ୍ ଦେଖାଦେଇଛି । ସେମାନେ ଏହି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାଁନ୍ତି । ପ୍ରାୟ ୩ ବର୍ଷ ପରେ ଏଠାରେ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯିବ | ହାଇଦ୍ରାବାଦରେ ଶେଷଥର ଡିସେମ୍ବର ୨୦୧୯ରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍(ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦) ଅନୁଷ୍ଠିତ ହୋଇଥିଲା ।

କିଛି ପ୍ରଶଂସକ ଟିକେଟ୍ ବିକ୍ରିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଓ ଏଥିପାଇଁ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନକୁ ଦାୟୀ କରିଛନ୍ତି । ତେବେ ହାଇଦ୍ରାବାଦ କ୍ରିକେଟ ସଂଘ କହିଛି ଯେ ସବୁ ଟିକେଟ୍ ବିକ୍ରି କରାଯାଉ ନାହିଁ ।

ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୨୦୯ ରନର ରେକର୍ଡ ଲକ୍ଷ୍ୟକୁ ସଫଳତାର ସହ ହାସଲ କରି ଭାରତକୁ ୪ ଓ୍ବିକେଟରେ ହରାଇ ଦେଇଥିଲା । ଉକ୍ତ ଜବରଦସ୍ତ ବିଜୟ ସହ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି | ଫଳରେ ଶୁକ୍ରବାର ନାଗପୁରରେ ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚରେ ଭାରତୀୟ ଦଳ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି ।

Comments are closed.