ରେକର୍ଡ ଆଇପିଏଲ୍ ପାଉଣାକୁ ବିଶ୍ବାସ କରିପାରୁ ନାହାଁନ୍ତି ଷ୍ଟାର୍କ | News Room Odisha

ରେକର୍ଡ ଆଇପିଏଲ୍ ପାଉଣାକୁ ବିଶ୍ବାସ କରିପାରୁ ନାହାଁନ୍ତି ଷ୍ଟାର୍କ

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆଇପିଏଲ୍ ପାଉଣାରେ ନୂଆ ରେକର୍ଡ କରିଛନ୍ତି । ୨୦୨୪ ସିଜନ୍ ପାଇଁ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ନିଲାମରେ ଷ୍ଟାର୍କ ଅବିଶ୍ବସନୀୟ ୨୪.୭୫ କୋଟି ସହ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳରେ ସାମିଲ ହୋଇଛନ୍ତି। ସେ ଏହା ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ବୋଲି ରେକର୍ଡ ଆଇପିଏଲ୍ ପ୍ୟାକେଜ୍ ପରେ କହିଛନ୍ତି ଷ୍ଟାର୍କ ।

କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏହି ୩୩ ବର୍ଷୀୟ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପରେ ଷ୍ଟାର୍କ ଆଇପିଏଲ୍ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ |

ଜିଓ ସିନେମାକୁ ପ୍ରତିକ୍ରିୟାରେ ଷ୍ଟାର୍କ କହିଛନ୍ତି, ଏହା ଆଶ୍ଚର୍ଯ୍ୟ ଚକିତ କରିଛି । ମୁଁ ଏହା ସ୍ବପ୍ନରେ ସୁଦ୍ଧା ଭାବିନଥିଲି | ତେବେ ଏହା ଦ୍ବାରା କିଛି ଚାପ ପଡ଼ିବ, ଏଥିରେ କୌଣସି ସନ୍ଦେହ ନାହିଁ | କିନ୍ତୁ ଆଶା କରୁଛି ମୋର ପୂର୍ବ ଆଇପିଏଲ ଅଭିଜ୍ଞତାରୁ ମୋତେ ଫାଇଦା ମିଳିବ। ”

ବାମହାତୀ ଦ୍ରୁତ ବୋଲର କହିଛନ୍ତି, “ମୁଁ ଏହା ପୂର୍ବରୁ ମଧ୍ୟ କିଛି ଉତ୍ଥାନ-ପତନ ଦେଖିଛି। ଏହା ଅଭିଜ୍ଞତା ସହିତ ଆସେ | ମୁଁ ଯଥା ସମ୍ଭବ ସଫଳ ହେବାକୁ ଓ ପ୍ରଭାବ ପକାଇବାକୁ ଚେଷ୍ଟା କରେ। ”

ନିଲାମରେ ଷ୍ଟାର୍କଙ୍କ ପାଇଁ କେକେଆର୍ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ତୀବ୍ର ପ୍ରତିଯୋଗିତା ହୋଇଥିଲା |

ଷ୍ଟାର୍କଙ୍କ ସାଥୀ ଖେଳାଳି ତଥା ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସ ମଧ୍ୟ ଆଇପିଏଲ୍ ଇତିହାସରେ ଦ୍ବିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି। ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଛି, ଯାହା ଷ୍ଟାର୍କଙ୍କ ମୂଲ୍ୟ ଠାରୁ ୪.୨୫ କୋଟି କମ୍।

ଷ୍ଟାର୍କ କହିଛନ୍ତି, ଆଇପିଏଲରେ ରେକର୍ଡ ପାଉଣା ସେ ଏବଂ କମିନ୍ସଙ୍କୁ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ଖେଳାଳିମାନେ ପାର୍ଟି ଦେବାକୁ କହିଛନ୍ତି । ବକ୍ସିଂ ଡେ ଟେଷ୍ଟ ପୂର୍ବରୁ (ଡିସେମ୍ବର ୨୬ରୁ ପାକିସ୍ତାନ ବିପକ୍ଷରେ) ଆମକୁ କିଛି କରିବାକୁ ପଡ଼ିବ।

ଷ୍ଟାର୍କ ହସି ହସି କହିଛନ୍ତି, ‘ମୋ ପତ୍ନୀ ଆଲିସା (ହେଲି) ଭାରତରେ (ଅଷ୍ଟ୍ରେଲିଆ) ମହିଳା (କ୍ରିକେଟ୍) ଦଳ ସହିତ ଅଛନ୍ତି। ତେଣୁ ମୁଁ ଟିଭି ସ୍କ୍ରିନରେ ଯାହା ଦେଖୁଥିଲି ତାହାଠାରୁ ତାଙ୍କୁ ଶୀଘ୍ର ଅପଡେଟ୍ ମିଳୁଥିଲା | ”

ଉଲ୍ଲେଖଯୋଗ୍ୟ, ଷ୍ଟାର୍କ ୮ ବର୍ଷ ପରେ ଆଇପିଏଲ୍ ଖେଳିବେ। ଶେଷଥର ସେ ୨୦୧୫ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ହୋଇଥିଲେ। ସେ କହିଛନ୍ତି ଯେ ଆଇପିଏଲ ମାଧ୍ୟମରେ ସେ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି କରିବେ।