ପ୍ରଥମ ଶ୍ରେଣୀ ଓ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଷ୍ଟୁଆର୍ଟ ବିନ୍ନିଙ୍କ ଅବସର

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି ଆଜି ପ୍ରଥମ ଶ୍ରେଣୀ ଓ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଏହି ୩୭ ବର୍ଷୀୟ ଖେଳାଳି ନିଜ ରାଜ୍ୟ କର୍ଣ୍ଣାଟକ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ । ବିନି୍ନ ଭାରତ ପାଇଁ ୬ଟି ଟେଷ୍ଟ, ୧୪ଟି ଦିନିକିଆ ଓ ତିନୋଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।

ଷ୍ଟୁଆର୍ଟ ବିନ୍ନିଙ୍କ ନାମରେ ଦିନିକିଆ ଫର୍ମାଟରେ ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ରେକର୍ଡ ରହିଛି । ୨୦୧୪ରେ ଢ଼ାକାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ଦିନିକିଆରେ ବିନ୍ନି ମାତ୍ର ୪ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ । ଅନ୍ତର୍ଜାତୀୟ ଦିନିକିଆରେ ଏହା ହେଉଛି ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ । ବିନ୍ନିଙ୍କ ଏହି ରେକର୍ଡ ଏବେ ବି ଅତୁଟ ରହିଛି ।

ବିନ୍ନ ୯୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି । ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ସେ ଭାରତ ପାଇଁ ୬ଟି ଟେଷ୍ଟ ଖେଳିବାକୁ ସୁଯୋଗ ପାଇଥିଲେ । ୨୦୧୪ରେ ଇଂଲଣ୍ଡ ବିପକ୍ଷ ନିଜ ଡେବ୍ୟୁ ଟେଷ୍ଟର ଦ୍ୱିତୀୟ ଇନିଂସରେ ବିନ୍ନି ୭୮ ରନ୍ କରିଥିଲେ, ଯାହା ତାଙ୍କ ଟେଷ୍ଟ କ୍ୟାରିିୟରର ଏକମାତ୍ର ଅର୍ଦ୍ଧଶତକ । ବିନ୍ନିଙ୍କ ବାପା ରୋଜର ବିନ୍ନି ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ଥିଲେ । ୨୦୧୫ରେ ଫ୍ଲୋରିଡାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏକ ଟି୨୦ ମ୍ୟାଚରେ ବିନ୍ନି ଗୋଟିଏ ଓଭରରେ ୩୧ ରନ୍ ବ୍ୟୟ କରିଥିଲେ । ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁୁଇସ୍ ତାଙ୍କ ଓଭରରେ ୫ଟି ଛକା ମାରିଥିଲେ । ଏହି ମ୍ୟାଚ୍‌ରେ ତାଙ୍କର ପ୍ରଦର୍ଶନ ପାଇଁ ପ୍ରଶଂସକଙ୍କ ତାଙ୍କୁ ବେଶ୍ ଟ୍ରୋଲ୍ କରିଥିଲେ । ଉକ୍ତ ମ୍ୟାଚ୍ ପରେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟ ଏକପ୍ରକାର ଶେଷ ହୋଇଯାଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ବିସ୍ଫୋରକ ବ୍ୟାଟିଂ ଅଲରାଉଣ୍ଡରଙ୍କ ଆଗମନ ପରେ ଜାତୀୟ ଦଳକୁ ଫେରିବା ତାଙ୍କ ପକ୍ଷେ ମୁସ୍କିଲ ହୋଇପଡ଼ିଥିଲା । ସେ କର୍ଣ୍ଣାଟକ ପରେ କିଛି ବର୍ଷ ନର୍ଥଇଷ୍ଟ୍ ଦଳମାନଙ୍କ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ ।

ଷ୍ଟୁଆର୍ଟ ବିନ୍ନି ଯେତେବେଳେ ଭାରତୀୟ ଦଳ ପାଇଁ ଖେଳୁଥିଲେ, ତାଙ୍କ ବାପା ରୋଜର ବିସିସିଆଇ ଚୟନ କମିଟିର ସଦସ୍ୟ ଥିଲେ । ତେବେ ସ୍ୱାର୍ଥଜନିତ ଦ୍ୱନ୍ଦ୍ୱ ବିବାଦ ଯୋଗୁଁ ରୋଜରଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

Comments are closed.