ଆଜିଠୁ ଟି୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟ: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ, ଇଂଲଣ୍ଡ-ଆଫଗାନିସ୍ତାନ ମୁକାବିଲା | News Room Odisha

ଆଜିଠୁ ଟି୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟ: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ, ଇଂଲଣ୍ଡ-ଆଫଗାନିସ୍ତାନ ମୁକାବିଲା

ସିଡନୀ: ଟି୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ ଶେଷ ହୋଇଛି । ଏବେ ଟୁର୍ଣ୍ଣାମେଣ୍ଟର ଅସଲ ଲଢ଼େଇ ଆରମ୍ଭ ହେବ । ଶନିବାର ଠାରୁ ବିଶ୍ୱକପର ମୁଖ୍ୟ ତଥା ସୁପର-୧୨ ରାଉଣ୍ଡ ଆରମ୍ଭ ହେବ । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଗ୍ରୁପ୍ ‘ଏ’ ମ୍ୟାଚରୁ ଆରମ୍ଭ ହେବ ସୁପର-୧୨ ପର୍ଯ୍ୟାୟ । ଏହି ଗ୍ରୁପର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଓ ଆଫଗାନିସ୍ତାନ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ପର୍ଥରେ ଖେଳାଯିବ ।

ଗତ ଥରର ବିଜେତା ଅଷ୍ଟ୍ରେଲିଆ ଏଥର ଘରୋଇ ପରିବେଶରେ ଖେଳୁଥିବା ବେଳେ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଛି । ୟୁଏଇରେ ଅନୁଷ୍ଠିତ ଗତ ସଂସ୍କରଣର ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରି ନ୍ୟୁଜିଲାଣ୍ଡ ରନର୍ସ ଅପ ହୋଇଥିଲା । ଅଷ୍ଟ୍ରେଲିଆରେ ନ୍ୟୁଜିଲାଣ୍ଡର ରେକର୍ଡ ସେତେଟା ଭଲ ନଥିବା ବେଳେ ଏଥର ଏହି ରେକର୍ଡ ସୁଧାରିବାକୁ କେନ୍ ୱିଲିୟମସନଙ୍କ ଟିମ୍ ଉଦ୍ୟମ କରିବ । ତେବେ ସୁପର-୧୨ର ଏହି ଉଦଘାଟନୀ ମୁକାବିଲାକୁ ବର୍ଷା ବିପଦ ରହିଛି । ଆସନ୍ତାକାଲି ସିଡନୀରେ ୯୦ ପ୍ରତିଶତ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ ହୋଇଛିି । ଏଭଳି ସ୍ଥଳେ ଏହି ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଏକ ସମ୍ଭାବ୍ୟ ରୋମାଞ୍ଚକ ମୁକାବିଲା ବର୍ଷାରେ ଧୋଇ ହୋଇଯିବା ଆଶଙ୍କା ରହିଛି ।

ନିୟମାନୁଯାୟୀ ଗୋଟିଏ ମ୍ୟାଚ୍ ସମ୍ପୂର୍ଣ୍ଣ କରିବା ପାଇଁ ଅତିକମରେ ୫ ଓଭର ଲେଖାଏଁ ଖେଳ ସମ୍ଭବ ହେବା ଉଚିତ । ଯଦି ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ ହୋଇଯାଏ, ତେବେ ଉଭୟ ଦଳ ପଏଣ୍ଟ ଭାଗ କରିବେ ।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଏକ ଝଟକା ଲାଗିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଡାରିଲ ମିଚେଲ ଆହତ ହୋଇଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବଞ୍ଚିତ ହେବା ନିଶ୍ଚିତ ହୋଇଛି । ସେହିପରି ଦ୍ରୁତ ବୋଲର ଲକି ଫର୍ଗୁସନ ଓ ଆଡାମ୍ ମିଲନେ ମଧ୍ୟ ଆଘାତ ସମସ୍ୟାରୁ ମୁକୁଳି ନିକଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେମାନଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଏପରି ଆଘାତ ସମସ୍ୟା ସାଙ୍ଗକୁ ଅଷ୍ଟ୍ରେଲିଆରେ ଦଳର ଖରାପ ରେକର୍ଡ ନ୍ୟୁଜିଲାଣ୍ଡ ଉପରେ ଅତିରିକ୍ତ ଚାପ ପକାଇବ । ନ୍ୟୁଜିଲାଣ୍ଡ ୨୦୧୧ ପରଠାରୁ ଅଷ୍ଟ୍ରେଲିଆରେ କୌଣସି ଫର୍ମାଟରେ ଗୋଟିଏ ବି ମ୍ୟାଚ୍ ଜିତିପାରି ନାହିଁ । ଏହି ଖରାପ ରେକର୍ଡ ସୁଧାରିବା ପାଇଁ ନ୍ୟୁଜିଲାଣ୍ଡ ନିଜ ବ୍ୟାଟିଂ ଲାଇନ ଅପରେ କିଛିଟା ପରିବର୍ତ୍ତନ କରିଛି । ଭେଟେରାନ ମାର୍ଟିନ ଗପ୍ଟିଲଙ୍କ ପରିବର୍ତ୍ତେ ଟପ୍ ଅର୍ଡରରେ ଫିନ୍ ଆଲେନଙ୍କୁ ଖେଳାଇବାକୁ ନିଷ୍ପତ୍ତି ନେଇଛି ଟିମ୍ ମ୍ୟାନେଜମେଣ୍ଟ ।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ଆଘାତ ସମସ୍ୟାରେ ଛନ୍ଦି ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ତୁଳନାରେ ଭଲ ସ୍ଥିତିରେ ରହିଛି । ସୁପର-୧୨ ପର୍ଯ୍ୟାୟ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଅତିରିକ୍ତ ୱିକେଟକିପର ବ୍ୟାଟ୍‌ସମ୍ୟାନ୍ ଜୋସ ଇଙ୍ଗ୍‌ଲିସ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛ୍‌ତି । ତାଙ୍କ ସ୍ଥାନରେ ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ସାମିଲ କରାଯାଇଛି । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଅଷ୍ଟ୍ରେଲିଆ ବେଶ୍ ସନ୍ତୁଳିତ ମନେ ହେଉଛି ।