ଇସ୍ରୋ ଗୁଇନ୍ଦାଗିରି ମାମଲା: ଚାରି ଅଭିଯୁକ୍ତଙ୍କ ଜାମିନ ରଦ୍ଦ

ନୂଆଦିଲ୍ଲୀ: ୧୯୯୪ର ଇସ୍ରୋ ଗୁଇନ୍ଦାଗିରି ମାମଲାରେ ୪ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । କୋର୍ଟ ଏହି ଚାରି ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିଛନ୍ତି। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ କେରଳ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଛନ୍ତି । ସୁପ୍ରିମକୋର୍ଟ ପୁନର୍ବିଚାର କରିବା ପାଇଁ ମାମଲାକୁ ହାଇକୋର୍ଟକୁ ପୁଣି ପଠାଇ ଦେଇଛନ୍ତି । ତେବେ ଚାରି ଅଭିଯୁକ୍ତଙ୍କୁ ଗିରଫ ନକରିବାକୁ ସୁପ୍ରିମକୋର୍ଟ ସିବିଆଇକୁ କହିଛନ୍ତି ।

ସୁପ୍ରିମକୋର୍ଟ ୪ ଅଭିଯୁକ୍ତଙ୍କୁ କେରଳ ହାଇକୋର୍ଟଙ୍କୁ ଆଗୁଆ ଜାମିନ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଛନ୍ତି। ଏହା ସହିତ କୋର୍ଟ ମଧ୍ୟ ଅଭିଯୁକ୍ତଙ୍କୁ ୫ ସପ୍ତାହ ଧରି ଗିରଫରୁ ସୁରକ୍ଷା ଦେଇଛନ୍ତି । ଏହି ଘଟଣାରେ କେରଳର ପୂର୍ବତନ ଡିଜିପି ସିବି ମାଥ୍ୟୁସ୍, ଗୁଜରାଟର ପୂର୍ବତନ ଏଡିଜିପି ଆର.ବି ଶ୍ରୀକୁମାର ଏବଂ ଅନ୍ୟ ତିନିଜଣ ଅଭିଯୁକ୍ତ ଅଛନ୍ତି।
୧୯୯୪ ମସିହାରେ ଇସ୍ରୋର ବୈଜ୍ଞାନିକ ନାମ୍ବି ନାରାୟଣନଙ୍କୁ ମାଥ୍ୟୁସ୍ ମିଛ ଆରୋପରେ ଫସାଇଥିବା ଅଭିଯୋଗ ହୋଇଥିଲା ।

ନାମ୍ବି ନାରାୟଣନ ଇସ୍ରୋର ବୈଜ୍ଞାନିକ ଭାବେ କାର୍ଯ୍ୟ କରିଛନ୍ତି | ୧୯୯୪ ମସିହାରେ ତାଙ୍କ ବିରୋଧରେ ଗୁପ୍ତଚରଗିରି ଅଭିଯୋଗ ଉଠିଥିଲା। ସେ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ସହ ଜଡିତ ଗୋପନୀୟ ଦଲିଲ ଅନ୍ୟ ଦେଶକୁ ପଠାଇଥିବା ଅଭିଯୋଗ ହୋଇଥିଲା। ନାରାୟଣନଙ୍କ ବ୍ୟତୀତ ଆଉ ୫ ଜଣ ବ୍ୟକ୍ତିଙ୍କ ବିରୋଧରେ ଏନେଇ ମାମଲା ରୁଜୁ କରାଯାଇଥିଲା ।

ଏହି ମାମଲାରେ ନାରାୟଣନଙ୍କୁ ଦୁଇ ମାସ ଜେଲରେ ରହିବାକୁ ପଡିଥିଲା। ପରେ ସିବିଆଇ ତଦନ୍ତରୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ ବୋଲି ସ୍ପଷ୍ଟ ହୋଇଥିଲା । ଏହି ମାମଲା ପ୍ରଥମେ ରାଜ୍ୟ ପୋଲିସ ଦ୍ୱାରା ଯାଞ୍ଚ୍ କରାଯାଇଥିଲା । ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ।

Comments are closed.