ଓଆରଓପି: ୨୦୨୪ ଫେବୃଆରୀ ୨୮ ସୁଦ୍ଧା ବକେୟା ରାଶି ଦେବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ | News Room Odisha

ଓଆରଓପି: ୨୦୨୪ ଫେବୃଆରୀ ୨୮ ସୁଦ୍ଧା ବକେୟା ରାଶି ଦେବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଓ୍ବାନ ରାଙ୍କ୍ ୱାନ ପେନସନ୍ (ଓଆରଓପି) ଯୋଜନା ଅଧୀନରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ କିସ୍ତିରେ ବକେୟା ରାଶି ପ୍ରଦାନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ବିଭିନ୍ନ ବର୍ଗର ସେନା ପେନ୍‌ସନ୍‌ଭୋଗୀଙ୍କୁ ବକେୟା ଦେବାର ସମୟ ସୀମା ମଧ୍ୟ ସୁପ୍ରିମକୋର୍ଟ ସ୍ଥିର କରିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପେନସନଭୋଗୀ ଯୋଗ୍ୟ ପରିବାର ତଥା ଗ୍ୟାଲେଣ୍ଟ୍ରି ପୁରସ୍କାର ପ୍ରାପ୍ତ ୬ ଲକ୍ଷ କର୍ମଚାରୀ ଏପ୍ରିଲ୍ ୩୦, ୨୦୨୩ ସୁଦ୍ଧା ଓ୍ବାନ୍ ରାଙ୍କ୍ ୱାନ୍ ପେନସନ୍ ଯୋଜନାରେ ବକେୟା ରାଶି ପାଇବେ। ୬୦ ବର୍ଷରୁ ଊର୍ଦ୍ଧ୍ବ ୪ ଲକ୍ଷ ପେନସନଭୋଗୀଙ୍କୁ ଜୁନ୍ ୩୦, ୨୦୨୩ ସୁଦ୍ଧା ବକେୟା ଅର୍ଥ ପ୍ରଦାନ କରାଯିବ। ଅବଶିଷ୍ଟ ୧୧ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କୁ ତିନୋଟି ସମାନ କିସ୍ତିରେ ବକେୟା ଅର୍ଥ ଦିଆଯିବ | ସମସ୍ତ ଯୋଗ୍ୟ ପେନସନଭୋଗୀଙ୍କୁ ୨୮ ଫେବୃଆରୀ ୨୦୨୪ରେ ସମାନ କିସ୍ତିରେ ଓଆରଓପି ବକେୟା ପ୍ରଦାନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଉଲ୍ଲେଖଯୋଗ୍ୟ ଯେ, ୨୩ ଡିସେମ୍ବର ୨୦୨୨ରେ ମୋଦୀ ସରକାର ଓ୍ବାନ୍ ରାଙ୍କ୍‌ ଓ୍ବାନ୍ ପେନ୍‌ସନ୍‌ ଯୋଜନାରେ ସଂଶୋଧନକୁ ଅନୁମୋଦନ କରିଥିଲେ। ସଶସ୍ତ୍ର ବାହିନୀର ୨୫ ଲକ୍ଷ ପେନସନଭୋଗୀ ଏହାଦ୍ବାରା ଉପକୃତ ହେବାକୁ ଯାଉଛନ୍ତି। ଏଥିପାଇଁ ସରକାରୀ ରାଜକୋଷ ଉପରେ ପ୍ରାୟ ୮୫୦୦ କୋଟି ଟଙ୍କା ଅତିରିକ୍ତ ବୋଝ ପଡ଼ିବ। ତେବେ ‘ୱାନ ରାଙ୍କ-ୱାନ ପେନ୍‌ସନ୍‌’ ଯୋଜନା ଅଧୀନରେ ଥିବା ସମସ୍ତ ଯୋଗ୍ୟ ପେନ୍‌ସନ୍‌ଭୋଗୀଙ୍କୁ ବକେୟା ରାଶି ପ୍ରଦାନ କରିବାକୁ କେନ୍ଦ୍ର ସରକାର କିଛି ସମୟ ମାଗିଥିଲେ। ସରକାର କହିଥିଲେ ଯେ ବିଭିନ୍ନ ଔପଚାରିକତା ପୂରଣ କରିବା ଆବଶ୍ୟକତା ରହିଛି। ଏଥିପାଇଁ ସମୟ ଦେବାକୁ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।