‘ମୂକ ଦର୍ଶକ ହୋଇ ରହିପାରିବୁ ନାହିଁ’, ପେଗାସସ ମାମଲାର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାରେ ଆଜି ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ଜାସୁସୀ ବରଦାସ୍ତ କରାଯିବ ନାହିଁ ବୋଲି କହି ଏହି ମାମଲାର ତଦନ୍ତ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏକ ତିନି ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଏହି ତିନି ଜଣିଆ କମିଟିର ନେତୃତ୍ବ ନେବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର.ଭି. ରବିନ୍ଦ୍ରନ୍। କମିଟିର ଅନ୍ୟ ଦୁଇ ସଦସ୍ୟ ହେବେ ସାଇବର ବିଶେଷଜ୍ଞ ଆଲୋକ ଯୋଶୀ ଏବଂ ସନ୍ଦୀପ ଓବରୋଇ | ଏହି ଆଦେଶ ଦେବା ସହ ପ୍ରଧାନ ବିଚାରପତି ଏନ.ଭି ରମନ୍ନା କହିଛନ୍ତି ଯେ ଆମେ ସର୍ବଦା ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେଇ ଆସିଛୁ | ସମସ୍ତେ ଗୋପନୀୟତାର ସୁରକ୍ଷା ଚାହାଁନ୍ତି | ଗୋପନୀୟତା ଅଧିକାରର କିଛି ସୀମା ବି ଅଛି । ଗୋପନୀୟତା ଅଧିକାରର ଉଲ୍ଲଂଘନ କେବଳ ବୈଧ କାରଣରୁ ଏବଂ ଆଇନତଃ କରାଯିବା ଉଚିତ ‌।

ପ୍ରଧାନ ବିଚାରପତି କହିଛନ୍ତି, “ଆମେ ଟେକ୍ନୋଲୋଜି ଯୁଗରେ ବାସ କରୁଛୁ। ଏହାକୁ ଜନସାଧାରଣଙ୍କ ସ୍ୱାର୍ଥରେ ବ୍ୟବହାର କରାଯିବା ଉଚିତ୍ | ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଗଣମାଧ୍ୟମର ସ୍ୱାଧୀନତା | ଟେକ୍ନୋଲୋଜି ଦ୍ବାରା ଏହି ସ୍ବାଧୀନତାର ଘୋର ଅପବ୍ୟବହାର ହୋଇପାରେ | ଆମେ ସତ କ’ଣ ଜାଣିବାକୁ ଚାହୁଁଛୁ | ଏହାର ଜବାବ ଦେବାକୁ ଆମେ ସରକାରଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ। କିନ୍ତୁ ଜାତୀୟ ସୁରକ୍ଷା ଯୋଗୁଁ ସରକାର ଉତ୍ତର ରଖିପାରିବେ ନାହିଁ ବୋଲି କହିଥିଲେ। ଆମେ ସରକାରଙ୍କୁ କହିଥିଲୁ ଯେ ଆପଣ ଯାହା କହିପାରିବ, ସେତିକି କୁହନ୍ତୁ। କିନ୍ତୁ ସରକାର ଏହାର ଉତ୍ତର ଦେଇନଥିଲେ। ଏଭଳି ସ୍ଥିତିରେ କୋର୍ଟ କେବଳ ମୂକ ଦର୍ଶକ ଭାବରେ ବସିପାରିବେ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ ପେଗାସସ ସଫ୍ଟୱେର ବ୍ୟବହାର କରାଯାଇଛି ନାହିଁ ବୋଲି କେନ୍ଦ୍ର ତରଫରୁ ସ୍ପଷ୍ଟ ଭାବେ ଖଣ୍ଡନ କରାଯାଇନଥିଲା । ତେଣୁ ଆବେଦନକାରୀଙ୍କ ନିବେଦନକୁ ଗ୍ରହଣ କରିବା ବ୍ୟତୀତ ଆମ ପାଖରେ କୌଣସି ବିକଳ୍ପ ନାହିଁ । ଆମେ ଏକ ବିଶେଷଜ୍ଞ କମିଟି ନିଯୁକ୍ତ କରୁଛୁ, ଯାହାର କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ଦ୍ଵାରା ତଦାରଖ କରାଯିବ।

ପେଗାସସ୍ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ୧୫ଟି ପିଟିସନ ଦାଖଲ ହୋଇଥିଲା। ବରିଷ୍ଠ ସାମ୍ବାଦିକ ଏନ୍ ରାମ, ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ସମେତ ଅନେକ ଜଣାଶୁଣା ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଥିଲା।
ପେଗାସସ୍ ସ୍ପାଏଓ୍ବେର ମାଧ୍ୟମରେ କେନ୍ଦ୍ର ସରକାର ରାଜନେତା, ସାମ୍ବାଦିକ, ପୂର୍ବତନ ବିଚାରପତି, ସାମାଜିକକର୍ମୀ ଏବଂ ସାଧାରଣ ନାଗରିକଙ୍କ ଫୋନ୍ ହ୍ୟାକିଂ କରି ସେମାନଙ୍କ ଉପରେ ଗୁଇନ୍ଦାଗିରି କରିଥିବା ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର ୧୩ରେ ସୁପ୍ରିମକୋର୍ଟ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ। ଶୁଣାଣି ସମୟରେ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ସରକାରଙ୍କର କୌଣସି ବ୍ୟକ୍ତି ରହିବେ ନାହିଁ। ଏହି କମିଟି କୋର୍ଟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ ଏବଂ କୋର୍ଟକୁ ରିପୋର୍ଟ ଦେବ। ତେବେ ଆବେଦନକାରୀ ଏହାକୁ ବିରୋଧ କରି କୋର୍ଟ ତତ୍ତ୍ଵାବଧାନରେ କମିଟି ଗଠନ କରିବାକୁ ଦାବି କରିଥିଲେ।

Comments are closed.