ମାଗଣା ଯୋଜନାର ପ୍ରତିଶ୍ରୁତି ଦେଉଥିବା ଦଳର ମାନ୍ୟତା ରଦ୍ଦ ପାଇଁ ଆବେଦନ, କେନ୍ଦ୍ର ଓ ନିର୍ବାଚନ ଆୟୋଗକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅଯୌକ୍ତିକ ପ୍ରତିଶ୍ରୁତି ଦେଉଥିବା ତଥା ମାଗଣା ଉପହାର ବଣ୍ଟନ କରୁଥିବା ଦଳର ମାନ୍ୟତା ରଦ୍ଦ କରାଯିବାକୁ ଆଗତ ଏକ ଆବେଦନର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ଏହା ଉପରେ ଜବାବ ଦାଖଲ କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ |

ଶୁଣାଣି ସମୟରେ କୋର୍ଟ ଆବେଦନକାରୀ ତଥା ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟଙ୍କୁ ପଚାରିଥିଲେ ଯେ ଯେତେବେଳେ ସମସ୍ତ ରାଜନୈତିକ ଦଳ ଏଭଳି ମାଗଣା ଉପହାର ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି, ତେବେ ଆପଣ କାହିଁକି ଏହି ଆବେଦନରେ କେବଳ ଦୁଇଟି ଦଳ ଉଲ୍ଲେଖ କରିଛନ୍ତି? ବାକି ଦଳ ସମ୍ପର୍କରେ କାହିଁକି ଉଲ୍ଲେଖ କରାଗଲା ନାହିଁ?

ଆବେଦନକାରୀ ନିଜ ପିଟିସନରେ ନିର୍ବାଚନ ପୂର୍ବରୁ ଲୋକଙ୍କୁ ମାଗଣା ଉପହାର ବଣ୍ଟନ କରୁଥିବା ଦଳର ମାନ୍ୟତା ରଦ୍ଦ କରିବାକୁ ଦାବି କରିଥିଲେ । ଆବେଦନକାରୀ କହିଛନ୍ତି ଯେ ଭୋଟରଙ୍କ ଠାରୁ ଅଯଥା ରାଜନୈତିକ ସୁବିଧା ପାଇବା ପାଇଁ ଏହିପରି ଜନପ୍ରିୟ ପଦକ୍ଷେପ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ହେବା ଉଚିତ କାରଣ ସେମାନେ ସାମ୍ବିଧାନିକ ନିୟମ ଉଲ୍ଲଂଘନ କରୁଛନ୍ତି ଏବଂ ନିର୍ବାଚନ ଆୟୋଗ ଉପଯୁକ୍ତ ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ନିର୍ବାଚନରେ ​​ଜନସାଧାରଣଙ୍କ ଅର୍ଥରେ ମାଗଣା ଉପହାର ବାଣ୍ଟିବା ଭୋଟରଙ୍କ ଉପରେ ଅଯଥା ପ୍ରଭାବ ପକାଇବ ଏବଂ ନିର୍ବାଚନ ପ୍ରକ୍ରିୟାକୁ ନଷ୍ଟ କରିବ ବୋଲି ଆବେଦନକାରୀ ଯୁକ୍ତି କରିଛନ୍ତି ।

ଆଇନଜୀବୀ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ଵାରା ଦାୟର ହୋଇଥିବା ଏହି ଆବେଦନରେ ଏକ ବିକଳ୍ପ ଭାବରେ ଏହି ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରାଯାଇଛି । ଆବେଦନକାରୀ କହିଛନ୍ତି ଯେ ସାମ୍ପ୍ରତିକ ନିର୍ବାଚନକୁ ଦୃଷ୍ଟିରେ ରଖି ମାଗଣା ଉପହାର ଦେଇ ଭୋଟରଙ୍କୁ ପ୍ରଭାବିତ କରିବାର ରାଜନୈତିକ ଦଳର ପ୍ରବୃତ୍ତି କେବଳ ଗଣତାନ୍ତ୍ରିକ ମୂଲ୍ୟବୋଧର ଅସ୍ତିତ୍ୱ ପାଇଁ ସବୁଠାରୁ ବଡ ବିପଦ ନୁହେଁ ବରଂ ସମ୍ବିଧାନର ଭାବନାକୁ ମଧ୍ୟ କ୍ଷତି ପହଞ୍ଚାଉଛି।

Comments are closed.