ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ତରବରିଆ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ନିଯୁକ୍ତି ସମ୍ବନ୍ଧୀୟ ଫାଇଲକୁ ଯେଉଁଭଳି ତରବରିଆ ଭାବେ ଅନୁମୋଦନ କରାଯାଇଥିଲା ସେନେଇ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ମେ ୧୫ରୁ ନିର୍ବାଚନ କମିଶନ ପଦ ଖାଲି ପଡ଼ିଥିବା ବେଳେ ହଠାତ୍ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଅରୁଣ ଗୋଏଲଙ୍କ ନାମ ପଠାଇବା ଠାରୁ ଅନୁମୋଦନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା କିପରି ଶେଷ ହୋଇଗଲା ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରକାର ଆଜି ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ନିଯୁକ୍ତି ସମ୍ବନ୍ଧୀୟ ଫାଇଲ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପନ କରିଥିଲେ ।

କୋର୍ଟ କହିଛନ୍ତି, ” ନିର୍ବାଚନ କମିଶନ ସଦସ୍ୟ‌ ପଦ ଲାଗି ଆଇନ ମନ୍ତ୍ରୀ ୪ ଜଣଙ୍କ ନାମ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ସବୁଠୁ ଜୁନିୟର ଅଧିକାରୀଙ୍କୁ କାହିଁକି ଚୟନ କରାଗଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରିଟାୟର ହେବାକୁ ଥିବା ଅଧିକାରୀ ଏହି ପଦରେ ନିଯୁକ୍ତ ହେବା ପାଇଁ ଭିଆରଏସ୍ ନେଇଥିଲେ।”

ଅନ୍ୟପକ୍ଷରେ ସରକାରଙ୍କ ପକ୍ଷ ରଖି ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ନିଯୁକ୍ତି ପ୍ରକ୍ରିୟାରେ କୌଣସି ଭୁଲ୍ ହୋଇନାହିଁ। ଗୋୟଲଙ୍କ ପୂର୍ବରୁ ମଧ୍ୟ ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଏଭଳି ନିଯୁକ୍ତି କରାଯାଇଛି |

ସୁପ୍ରିମକୋର୍ଟ ଗତକାଲି କହିଥିଲେ ଯେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ପରାମର୍ଶ ପ୍ରକ୍ରିୟାରେ ଦେଶର ପ୍ରଧାନ ବିଚାରପତି (ସିଜେଇ) ଜଡିତ ହେଲେ ନିର୍ବାଚନ ଆୟୋଗର ସ୍ବାଧୀନତା ଓ ନିରପେକ୍ଷତା ନିଶ୍ଚିତ ହୋଇପାରିବ । ସୁପ୍ରିମକୋର୍ଟ କହିଥିଲେ ଯେ କେନ୍ଦ୍ରର ସବୁ ଶାସକ ଦଳ କ୍ଷମତାରେ ରହିବାକୁ ପସନ୍ଦ କରନ୍ତି । ଏଥିପାଇଁ ସେମାନେ ପ୍ରଚଳିତ ବ୍ୟବସ୍ଥାରେ ଏହି ପଦବୀ ପାଇଁ ଜଣେ ‘ୟେସ୍ ମ୍ୟାନ୍(ସରକାରଙ୍କ‌ କଥା‌ ଶୁଣୁଥିବା)’ ଲୋକଙ୍କୁ ହିଁ ନିଯୁକ୍ତ କରିଥାନ୍ତି ।

ନିର୍ବାଚନ କମିଶନର (ଇସି) ଏବଂ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ନିଯୁକ୍ତି ପାଇଁ କଲେଜିୟମ ଭଳି ବ୍ୟବସ୍ଥା ପାଇଁ ସୁପ୍ରିମକୋର୍ଟ ସମ୍ପ୍ରତି କିଛି ଆବେଦନର ଶୁଣାଣି କରୁଛନ୍ତି। କେନ୍ଦ୍ର ଯୁକ୍ତିର ହେଲା ଯେ ୧୯୯୧ ଅଧିନିୟମ ଅନୁସାରେ ନିର୍ବାଚନ ଆୟୋଗ ଏହାର ସଦସ୍ୟଙ୍କ ବେତନ ଏବଂ କାର୍ଯ୍ୟକାଳ ଦୃଷ୍ଟିରୁ ସ୍ବାଧୀନ ଭାବେ କାର୍ଯ୍ୟ କରୁଛନ୍ତି । ଏଥିରେ କୋର୍ଟର ହସ୍ତକ୍ଷେପ ବାଞ୍ଛନୀୟ ନୁହେଁ ।

Comments are closed.