କାଶ୍ମୀରୀ ପଣ୍ଡିତଙ୍କ ନରସଂହାର ମାମଲାର ତଦନ୍ତ ପାଇଁ ଦାୟର ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ | News Room Odisha

କାଶ୍ମୀରୀ ପଣ୍ଡିତଙ୍କ ନରସଂହାର ମାମଲାର ତଦନ୍ତ ପାଇଁ ଦାୟର ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନବେ ଦଶକରେ କାଶ୍ମୀରୀ ପଣ୍ଡିତଙ୍କ ନରସଂହାର ଘଟଣାର ତଦନ୍ତ ଦାବି କରି ଦାୟର ଏକ ପିଟିସନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

ତାଙ୍କ ପିତା ଟିକା ଲାଲ ଟପଲୁଙ୍କ ହତ୍ୟା ଘଟଣାର ଉଚିତ ତଦନ୍ତ ପାଇଁ ଆଶୁତୋଷ ଟପଲୁ ନାମକ ଜଣେ କାଶ୍ମୀରୀ ପଣ୍ଡିତ ଏହି ଆବେଦନ କରିଥିଲେ। ତେବେ ଏଭଳି ଦାବି ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ କହିଛନ୍ତି ।

ଏହି ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି କହିଛନ୍ତି ଯେ ଆଶୁତୋଷ ଟପଲୁ ଆଇନରେ ଉପଲବ୍ଧ ଅନ୍ୟ ବିକଳ୍ପକୁ ଦେଖି ପାରିବେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ପୂର୍ବରୁ ମଧ୍ୟ ଏହି ମାମଲାରେ ଏକ ଆବେଦନ ଖାରଜ କରିଦେଇଥିଲୁ ।

୧୯୯୦ରେ ଜମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେକେଏଲ୍ଏଫ୍) ଆତଙ୍କବାଦୀ ଆଶୁତୋଷ ଟପଲୁଙ୍କ ପିତା ଟିକା ଲାଲ ତାପଲୁଙ୍କୁ ହତ୍ୟା କରିଥିଲେ।

ଆବେଦନକାରୀ କହିଥିଲେ ଯେ ୩୨ ବର୍ଷ ବିତିଗଲାଣି, ପରିବାର ମଧ୍ୟ ଜାଣି ନାହାଁନ୍ତି ଯେ ଏହି ଘଟଣାରେ କେଉଁ ପ୍ରକାର ତଦନ୍ତ ହୋଇଥିଲା। ପରିବାର ଏଫ୍ଆଇଆରର କପି ମଧ୍ୟ ପାଇନଥିଲେ।

ଏହାଛଡ଼ା ଆବେଦନକାରୀ ୧୯୮୪ ଶିଖ ବିରୋଧୀ ଦଙ୍ଗା ଘଟଣାର ତିନି ଦଶନ୍ଧି ପରେ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ଏସ୍ଆଇଟି ସମ୍ପର୍କରେ ଉଦାହରଣ ଦେଇଥିଲେ ଏବଂ ତାଙ୍କ ପିତାଙ୍କ ହତ୍ୟା ଘଟଣାର ମଧ୍ୟ ଏସଆଇଟି ତଦନ୍ତ ଦାବି କରିଥିଲେ।