ଟ୍ରିବ୍ୟୁନାଲ ନିଯୁକ୍ତି ନେଇ ପୁଣି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ଅବମାନନା ମାମଲା ଚଳାଇବାକୁ ଚେତାବନୀ

ନୂଆଦିଲ୍ଲୀ: ବିଭିନ୍ନ ଟ୍ରିବ୍ୟୁନାଲ ଗୁଡ଼ିକରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସୁପ୍ରିମକୋର୍ଟ ପୁଣି ଭର୍ତ୍ସନା କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଦୁଇ ସପ୍ତାହ ମଧ୍ୟରେ ସରକାରଙ୍କ ଠାରୁ ସମସ୍ତ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ମାଗିଛନ୍ତି । ଏପରିକି ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚଳାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।

ଟ୍ରିବ୍ୟୁନାଲ ସଂସ୍କାର ଆଇନ ୨୦୨୧ର ସାମ୍ବିଧାନିକ ବୈଧତା ଏବଂ ଟ୍ରିବ୍ୟୁନାଲ ନିଯୁକ୍ତି ଉପରେ ଶୁଣାଣି କରି ମୁଖ୍ୟ ବିଚାରପତି ଏନଭି ରମନ୍ନା ଓ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ସରକାରଙ୍କ ଉଦାସୀନତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦୁଇ ସପ୍ତାହ ଭିତରେ ପ୍ରମୁଖ ଟ୍ରିବ୍ୟୁନାଲ ଗୁଡ଼ିକରେ ନିଯୁକ୍ତି ଶେଷ ହେବ। ସୂଚନାଯୋଗ୍ୟ, ବିଭିନ୍ନ ପ୍ରମୁଖ ଟ୍ରିବ୍ୟୁନାଲ ଏବଂ ଦେଶବ୍ୟାପୀ ଆପିଲେଟ ଟ୍ରିବ୍ୟୁନାଲ ଗୁଡ଼ିକରେ ପ୍ରାୟ ୨୫୦ ପଦ ଖାଲି ପଡ଼ିଛି ।

ଏଗୁଡ଼ିକ ମଧ୍ୟରେ ଏନସିଏଲଟି, ଡିଆରଟି, ଟିଡିଇଟିଏସ୍ ଭଳି ପ୍ରମୁଖ ଟ୍ରିବ୍ୟୁନାଲ ମଧ୍ୟ ରହିଛି ।

ଏହି ମାମଲାରେ ଶେଷ ଥର ଶୁଣାଣି ବେଳେ କୋର୍ଟ କେନ୍ଦ୍ରକୁ ଚେତାବନୀ ଦେଇ ଆମ ଧୈର୍ଯ୍ୟର ପରୀକ୍ଷା କରନାହିଁ ବୋଲି କହିଥିଲେ । ପ୍ରଧାନ ବିଚାରପତି କହିଥିଲେ ଯେ ଆମେ ସରକାର ସହ କୌଣସି ବିବାଦ ଚାହୁଁ ନାହୁଁ। ତେବେ ଆମ ଆଦେଶକୁ ସରକାର ସମ୍ମାନ ଦେଉନଥିବା ଆମର ହୃଦବୋଧ ହେଉଛି ।

Comments are closed.