ଆଦାନୀ ଗ୍ରୁପ୍ ବିରୋଧରେ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ପିଟିସନ, କାଲି ହେବ ଶୁଣାଣି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଉପରେ ଆମେରିକୀୟ ସଂସ୍ଥା ‘ହିଣ୍ଡେନବର୍ଗ ରିସର୍ଚ’ ରିପୋର୍ଟର ଯାଞ୍ଚ ଦାବି କରି ଦାୟର ପିଟିସନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ଵାବଧାନରେ ଆଦାନୀ ଗ୍ରୁପ୍ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ ପାଇଁ ପିଟିସନରେ ଦାବି ହୋଇଛି । ଶୁକ୍ରବାର ଏହି ପିଟିସନର ଶୁଣାଣି ହେବ।

ବିଶାଲ ତିୱାରୀ ନାମକ ଓକିଲ ଏହି ଆବେଦନ କରିଛନ୍ତି । ସେ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପି ନରସିଂହା ଓ ଜଷ୍ଟିସ୍ ଜେବି ପାର୍ଦିୱାଲାଙ୍କ ଏକ ଖଣ୍ଡପୀଠକୁ ଏହି ମାମଲା ଶୀଘ୍ର ତାଲିକାଭୁକ୍ତ କରିବାକୁ ନିବେଦନ କରିଛନ୍ତି |

ଏହି ମାମଲାରେ ହୋଇଥିବା ଅନ୍ୟ ଆବେଦନ ସହିତ ତାଙ୍କ ଆବେଦନ ଶୁକ୍ରବାର ଶୁଣାଣି କରିବାକୁ ସେ ଖଣ୍ଡପୀଠକୁ ଅନୁରୋଧ କରିଛନ୍ତି।

ଓକିଲ ତିୱାରୀ ତାଙ୍କ ପିଟିସନରେ ବଡ଼ ବଡ଼ ବ୍ୟବସାୟିକ ସଂସ୍ଥା ଗୁଡିକୁ ୫୦୦ କୋଟିରୁ ଅଧିକ ଋଣ ପାଇଁ ମଞ୍ଜୁରୀ ନୀତିର ତଦାରଖ କରିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ଅପିଲ କରିଛନ୍ତି ।

‘ହିଣ୍ଡେନବର୍ଗ ରିସର୍ଚ’ ବିରୋଧରେ ମଧ୍ୟ ଏକ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଗତ ସପ୍ତାହରେ ଓକିଲ ଏମ୍ଏଲ୍ ଶର୍ମା ‘ହିଣ୍ଡେନବର୍ଗ ରିସର୍ଚ’ ମାଲିକ ନାଥାନ୍ ଆଣ୍ଡରସନ୍ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ପିଟିସନ ଦାଖଲ କରିଥିଲେ। କୃତ୍ରିମ ଉପାୟରେ ଆଦାନୀ ଗ୍ରୁପର ସେୟାର ମୂଲ୍ୟ ହ୍ରାସ କରି ‘ହିଣ୍ଡେନବର୍ଗ ରିସର୍ଚ’ ନିରୀହ ନିବେଶକଙ୍କ ଶୋଷଣ କରୁଛି ବୋଲି ସେ ଅଭିଯୋଗ କରିଥିଲେ ‌।

ଜାଲିଆତି କାରବାର ଏବଂ ସେୟାର ମୂଲ୍ୟରେ ହେରଫେର ସହ ‘ହିଣ୍ଡେନବର୍ଗ ରିସର୍ଚ’ ଆଦାନି ଗ୍ରୁପ୍ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିବା ପରେ ଗ୍ରୁପ୍ କମ୍ପାନୀଗୁଡିକର ସେୟାର ମୂଲ୍ୟ କ୍ରମାଗତ ହ୍ରାସ ପାଇଛି।

ଆଦାନୀ ଗ୍ରୁପ୍ କିନ୍ତୁ ‘ହିଣ୍ଡେନବର୍ଗ ରିସର୍ଚ’ର ସବୁ ଅଭିଯୋଗକୁ ଖଣ୍ଡନ କରିଛି ।

Comments are closed.