ଟିଭି ଷ୍ଟୁଡ଼ିଓରେ ନ୍ୟୁଜ୍ ଆଙ୍କର୍ ଙ୍କୁ ଘେରିଗଲେ ସଶସ୍ତ୍ର ତାଲିବାନୀ ସେନା, ପ୍ରଶଂସା କରି ସମ୍ବାଦ ପଢ଼ିବାକୁ ବାଧ୍ୟ କଲେ

କାବୁଲ: ଆଫଗାନିସ୍ତାନରେ ଶାସନ କ୍ଷମତା ଦଖଲ କରିବା ପରେ ତାଲିବାନ କହିଆସିଛି ଯେ ସେମାନେ ଆଉ ଆଗ ଭଳି କଠୋର ହେବେନି। ସମସ୍ତେ ସବୁ କାର୍ଯ୍ୟ ସ୍ବାଧୀନତାର‌ ସହ କରିପାରିବେ । ହେଲେ ଏହାର ପ୍ରତିଶ୍ରୁତି ଯେ ପାଣିର ଗାର ତାହା ଏବେ ଭାଇରାଲ ହୋଇଥିବା ଏକ ଭିଡ଼ିଓରୁ ସ୍ପଷ୍ଟ ହୋଇଛି ।
ଭାଇରାଲ ଭିଡ଼ିଓରେ ଏକ ଚ୍ୟାନେଲର ଜଣେ ନ୍ୟୁଜ୍ ଆଙ୍କର୍ ନଜର ଆସୁଛନ୍ତି। ନ୍ୟୁଜ୍ ଆଙ୍କର୍ ଜଣକ ତାଲିବାନକୁ ପ୍ରଶଂସା କରି ସମ୍ବାଦ ପାଠ କରୁଛନ୍ତି | ତେବେ ତାଙ୍କ ପଛରେ କିଛି ତାଲିବାନ ସେନା ବନ୍ଧୁଙ୍କ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି ।

ପଛରେ ଠିଆ ହୋଇଥିବା ସଶସ୍ତ୍ର ତାଲିବାନ ସେନାଙ୍କ ଗହଣରେ ସମ୍ବାଦ ପଢୁଥିବା ନ୍ୟୁଜ୍ ଆଙ୍କର୍ ଜଣକ
ତାଲିବାନକୁ ଭୟ ନକରିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି। ନ୍ୟୁଜ୍ ଆଙ୍କର୍ କହୁଛନ୍ତି, ଆପଣମାନେ ଇସଲାମିକ୍ ଏମିରେଟକୁ ଭୟ କରିବାର କାରଣ ନାହିଁ | ଏହା କହିବା ବେଳେ ନ୍ୟୁଜ୍ ଆଙ୍କର୍ ଜଣକ ନିଜେ ବେଶ୍ ଭୟଭୀତ ଥିବା ତାଙ୍କ ମୁଖମଣ୍ଡଳରୁ ବାରି ହୋଇପଡ଼ୁଛି । ଏହି ନ୍ୟୁଜ୍ ଆଙ୍କରଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି | ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରେ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ ବୋଲି ତାଲିବାନ ଘୋଷଣା କରିଥିଲା । ତେବେ ଏହି ଭିଡିଓରୁ ଗଣମାଧ୍ୟମକୁ କିପରି ସ୍ବାଧୀନତା ମିଳିବ ତାହା ସହଜେ ଜଣାପଡୁଛି ‌।

ନିକଟରେ ଜଣେ ଆଫଗାନିସ୍ତାନ ସାମ୍ବାଦିକ ତଥା କ୍ୟାମେରାମ୍ୟାନଙ୍କୁ ତାଲିବାନ ନିସ୍ତୁକ ମାଡ଼ ମାରିଥିଲେ। ଏହି ସାମ୍ବାଦିକମାନେ ଆଫଗାନିସ୍ତାନରେ ବୃଦ୍ଧି ପାଉଥିବା ଦାରିଦ୍ର୍ୟ ବିଷୟରେ ରିପୋର୍ଟ କରୁଥିଲେ। ହଠାତ୍ ସେ ତାଲିବାନ ସେନାଙ୍କ ମୁହାଁମୁହିଁ ହୋଇଥିଲେ। ବନ୍ଧୁକ ବେଣ୍ଟରେ ସେମାନେ ସେ ଦୁଇ ଜଣ ସମ୍ବାଦଦାତାଙ୍କୁ ନିର୍ଘାତ ପିଟିଥିଲେ। ଏହି ଘଟଣାକୁ ସମଗ୍ର ବିଶ୍ୱରେ ସମାଲୋଚନା କରାଯାଇଥିଲା | ତାଲିବାନ ଦ୍ୱାରା ମହିଳା ଏବଂ ଶିଶୁଙ୍କ ଉପରେ ଅତ୍ୟାଚାରର ମଧ୍ୟ ଅନେକ ଦୃଷ୍ଟାନ୍ତ ରହିଛି।

ତଥାପି ତାଲିବାନ ଉପରେ ବିଶ୍ୱ ସମୁଦାୟର ଆଭିମୁଖ୍ୟ ବଦଳୁଥିବା ଜଣାପଡିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ବାରା ଜାରି ସଦ୍ୟତମ ବିବୃତ୍ତିରେ ତାଲିବାନର ନାମ ଆତଙ୍କବାଦୀ କାର୍ଯ୍ୟକଳାପରୁ ହଟାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ମାସରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରୁଛି। ଭାରତ ସହିତ ରାଜନୈତିକ ଏବଂ ବ୍ୟବସାୟିକ ସମ୍ପର୍କ ବଜାୟ ରଖିବା ପାଇଁ ତାଲିବାନ ମଧ୍ୟ ଆଗ୍ରହୀ ବୋଲି ଏହାର ଜଣେ ବରିଷ୍ଠ ନେତା ଶେର୍ ମହମ୍ମଦ ଆବାସ୍ ଷ୍ଟାନିକଜାଇ କହିଛନ୍ତି।

Comments are closed.