ଆଇସିସି ପୁରସ୍କାର: ସୂର୍ଯ୍ୟକୁମାର ବର୍ଷର ଶ୍ରେଷ୍ଠ ଟି-୨୦ କ୍ରିକେଟର

ଦୁବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ୨୦୨୨ ପାଇଁ ଶ୍ରେଷ୍ଠ ଟି-୨୦ ପୁରୁଷ କ୍ରିକେଟର ଭାବେ ଆଇସିସି ପୁରସ୍କାର ଜିତିଛନ୍ତି ।

ସୂର୍ଯ୍ୟକୁମାର ୨୦୨୨ରେ ଏହି ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ୩୧ଟି ମ୍ୟାଚରେ ୪୬.୫୬ ଆଭରେଜ୍ ଏବଂ ୧୮୭.୪୩ ଷ୍ଟ୍ରାଇକ୍ ହାର ସହ ୧୧୬୪ ରନ୍ କରିଥିଲେ।

ସୂର୍ଯ୍ୟକୁମାରଙ୍କ ପାଇଁ ୨୦୨୨ ବେଶ୍ ସଫଳ ସାବ୍ୟସ୍ତ ହୋଇଥିଲା ଓ ସେ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଥିଲେ । ସେ ବିଶ୍ବର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଏକ କ୍ୟାଲେଣ୍ଡର ବର୍ଷରେ ଟି-୨୦ରେ ୧୦୦୦ ରନ୍ କରିଥିଲେ । ଏଥିସହ ସେ ବର୍ଷର ସର୍ବାଧିକ ରନ୍ ସ୍କୋରର ହୋଇଥିଲେ ।

ଯାଦବ ଗତ ବର୍ଷ ଟି-୨୦ରେ ରେକର୍ଡ ୬୮ଟି ଛକା ମାରିଥିଲେ। ସେ ଦୁଇଟି ଶତକ ଏବଂ ୯ ଅର୍ଦ୍ଧଶତକ ସହିତ ସେ ଅନେକ ମ୍ୟାଚରେ ଭାରତକୁ ଜିତାଇଥିଲେ ।

ଗତବର୍ଷ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ରେ ସେ ୬୦ ଆଭରେଜରେ ତିନିଟି ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୯୮.୬୮ ଥିଲା |

Comments are closed.