ସ୍ୱାମୀ ଓ ପୁଅ ଆଗରେ ଅନ୍ତଃସତ୍ତ୍ୱା ମହିଳା ପୋଲିସ ଅଧିକାରୀଙ୍କୁ ଗୁଳିକରି ହତ୍ୟା କଲା ତାଲିବାନ

କାବୁଲ: ତାଲିବାନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଆରମ୍ଭ ହୋଇଯାଇଛି ଅତ୍ୟାଚାର । ଆଫଗାନ୍ ମହିଳା ଏବେ ଘରୁ ବାହାରିବାକୁ ଡରୁଛନ୍ତି । ଯେଉଁମାନେ ସେମାନଙ୍କ ବିରୋଧରେ ସ୍ୱର ଉଠାଉଛନ୍ତି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଉଛି ତାଲିବାନ । ଏହାର ଆଉ ଏକ ଜଘନ୍ୟ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି । ଜଣେ ଅନ୍ତଃସତ୍ତ୍ୱା ମହିଳା ପୋଲିସ ଅଧିକାରୀଙ୍କୁ ତାଙ୍କ ସ୍ୱାମୀ ଓ ପୁଅ ଆଗରେ ଗୁଳିକରି ହତ୍ୟା କରିଛି ତାଲିବାନ । ହତ୍ୟାର ଶିକାର ହୋଇଥିବା ବାନୁ ନିଗାରା ନାମ୍ନୀ ମହିଳା ପୋଲିସ୍ କର୍ମଚାରୀ ୬ ମାସର ଗର୍ଭବତୀ ଥିଲେ । ତେବେ ନିଗାରାଙ୍କୁ କହିିଁକି ଏଭଳି ବିଭତ୍ସ ଭାବେ ହତ୍ୟା କରାଗଲା ତାର କାରଣ ସ୍ପଷ୍ଟ ହୋଇନାହିଁ ।
ତାଲିବାନ ଭୟରେ ଏବେ ଆଫଗାନିସ୍ତାନର ମହିଳା ହିଜାବ ଓ ବୁର୍କା କିଣୁଛନ୍ତି । ସେମାନଙ୍କର ଭୟ ଯେ ବିନା ବୁର୍କା ଓ ହିଜାବରେ ବାହାରକୁ ବାହାରିଲେ ସେମାନେ ତାଲିବାନ ବର୍ବରତାର ଶିକାର ହେବେ ।

ମହିଳାଙ୍କ ପ୍ରତି ତାଲିବାନର କଠୋର ଆଭିମୁଖ୍ୟ ସତ୍ତ୍ୱେ କିଛି ଦିନ ତଳେ ଆଫଗାନିସ୍ତାନର ହେରାତ୍ ସହରରେ କିଛି ମହିଳା ସମାନ ଅଧିକାର ଓ ସରକାରରେ ପ୍ରତିନିଧିତ୍ୱ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

୨୦ ବର୍ଷ ପରେ ତାଲିବାନ କ୍ଷମତାକୁ ଫେରିଥିବା ବେଳେ ଆଫଗାନିସ୍ତାନ ମହିଳାଙ୍କ ଭବିଷ୍ୟତ ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ତାଲିବାନ ଶାସନରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

Comments are closed.