ତାଲିବାନର ଦାବି: ପଞ୍ଜଶୀର ସମ୍ପୂର୍ଣ୍ଣ ଆମ କବଜାରେ

କାବୁଲ: ପଞ୍ଜଶୀର ଘାଟି କବଜା ହୋଇଥିବା ନେଇ ପୁଣି ଦାବି କରିଛି ତାଲିବାନ । ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଏକ‌ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ଆମର ଶତ୍ରୁମାନଙ୍କୁ ଧରାଶାୟୀ କରିଛୁ ଏବଂ ପଞ୍ଜଶୀର ସମ୍ପୂର୍ଣ୍ଣ ଆମର ସୈନ୍ୟବାହିନୀ ନିୟନ୍ତ୍ରଣରେ ଅଛି। ପଞ୍ଜଶୀର ପ୍ରତି କୌଣସି ଭେଦଭାବ ହେବ ନାହିଁ। ଆମେ ଚାହୁଁଥିଲୁ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଉ କିନ୍ତୁ ତାହା ହୋଇ ନଥିଲା। ଆମର ସୈନ୍ୟବାହିନୀ ଆକ୍ରମଣ କରି ଏହି ଉପତ୍ୟକାକୁ କବଜାକୁ ନେଇଛନ୍ତି ବୋଲି ଜାବୁଲ୍ଲା ମୁଜାହିଦ୍ କହିଛନ୍ତି ।

ତାଲିବାନ ଆଫଗାନିସ୍ତାନର ସବୁ ଅଞ୍ଚଳ ନିୟନ୍ତ୍ରଣକୁ ନେଇଥିଲେ ମଧ୍ୟ ‌ପଞ୍ଜଶୀର ଘାଟିକୁ ଦଖଲ କରିପାରିନଥିଲା। ବିଦ୍ରୋହୀ ନର୍ଦର୍ନ ଆଲାଏନ୍ସର ଅଭେଦ୍ୟ ଗଡ଼ ଭାବେ ପରିଚିତ ଏହି ଅଞ୍ଚଳ ମଧ୍ୟ ଏବେ ତାଲିବାନ ହାତମୁଠାକୁ ଆସିଛି ।

ତାଲିବାନର ଦାବିକୁ କିନ୍ତୁ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ (ଏନଆରଏଫ୍) ଖଣ୍ଡନ କରିଛି। ନର୍ଦର୍ନ ଆଲାଏନ୍ସର ନେତା ଅହମ୍ମଦ ମାସୁଦ ଟ୍ୱିଟ୍ କରି କହିଥିଲେ ଯେ ସେମାନେ ନିରାପଦରେ ଅଛନ୍ତି ଏବଂ ଚିନ୍ତା କରିବାର କିଛି ନାହିଁ।
ପଞ୍ଜଶୀର ଯୁଦ୍ଧରେ ବିଦ୍ରୋହୀ ନେତା ଅହମ୍ମଦ ମାସୁଦଙ୍କର ଅନେକ ଘନିଷ୍ଠ ସହଯୋଗୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଏନଆରଏଫ ମୁଖପାତ୍ର ଫହିମ ଦସ୍ତୀ ଏବଂ ଟପ୍ କମାଣ୍ଡର ସାଲେହ ମହମ୍ମଦ ରେଗିସ୍ତାନୀ ଅଛନ୍ତି। ରେଗିସ୍ତାନୀ ଅହମ୍ମଦ ଶାହା ମାସୁଦଙ୍କର ଘନିଷ୍ଠ ସହଯୋଗୀ ଥିଲେ ଏବଂ ଗରିଲା ଯୁଦ୍ଧରେ ଜଣେ ବିଶେଷଜ୍ଞ ଭାବରେ ଗଣାଯାଉଥିଲେ ।
ଏହାଛଡ଼ା ରେଜିଷ୍ଟାନ୍ସ ଫ୍ରଣ୍ଟ ମୁଖପାତ୍ର ଫହିମ ଦସ୍ତୀ ଏବଂ ଅହମ୍ମଦ ଶାହା ମାସୁଦଙ୍କ ପୁତୁରା ଜେନେରାଲ ଅବଦୁଲ ୱୁଡୁଦଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଫହିମ ଦସ୍ତୀଙ୍କ ମୃତ୍ୟୁ ରେଜିଷ୍ଟାନ୍ସ ଫ୍ରଣ୍ଟ ପାଇଁ ଏକ ବଡ଼ ଝଟକା କାରଣ ଅହମ୍ମଦ ମାସୁଦଙ୍କ ସେ ବିଶ୍ଵସ୍ତ ସହଯୋଗୀ ହେବା ସହ ମୁଖପାତ୍ର ମଧ୍ୟ ଥିଲେ।

Comments are closed.