ଆଜି ସରକାର ଗଠନ କରିବ ତାଲିବାନ, ମୁଲ୍ଲା ହେବତୁଲ୍ଲା ଅଖୁନ୍ଦଜାଦା ହେବେ ସର୍ବୋଚ୍ଚ ନେତା

କାବୁଲ: ତାଲିବାନ ଆଫଗାନିସ୍ତାନରେ ଆଜି ସରକାର ଗଠନ କରିବ। ନମାଜ୍ ପାଠ ପରେ ନିଜ କ୍ୟାବିନେଟ ସଂକ୍ରାନ୍ତରେ ଘୋଷଣା କରିବ ଏହି ମୌଳବାଦୀ ସଂଗଠନ। ଇରାନ ମଡେଲ୍ ଆଧାରରେ ସରକାର ଗଠନ କରିବାକୁ ତାଲିବାନ ପୂର୍ବରୁ ଘୋଷଣା କରିସାରିଛି। ତାଲିବାନର ଶୀର୍ଷ ଧାର୍ମିକ ନେତା ମୁଲ୍ଲା ହେବତୁଲ୍ଲା ଅଖୁନ୍ଦଜାଦାଙ୍କୁ ଆଫଗାନିସ୍ତାନର ସର୍ବୋଚ୍ଚ ନେତା କରାଯିବ।

ନୂତନ ସରକାରରେ ୬୦ ବର୍ଷିୟ ମୁଲ୍ଲା ଅଖୁନ୍ଦଜାଦା ତାଲିବାନ ସରକାରର ସର୍ବୋଚ୍ଚ ନେତା ହେବେ। ଇରାନର ମଡେଲରେ ଏହି ବ୍ୟବସ୍ଥା କରାଯିବ, ଯେଉଁଠାରେ ସର୍ବୋଚ୍ଚ ନେତା ଦେଶର ସର୍ବବୃହତ ରାଜନୈତିକ ଏବଂ ଧାର୍ମିକ ଅଧିକାରୀ ହେବେ। ସରକାରରେ ତାଙ୍କର ସ୍ଥିତି ରାଷ୍ଟ୍ରପତିଙ୍କଠାରୁ ଊର୍ଦ୍ଧ୍ୱରେ ଏବଂ ସେନା, ସରକାର ଏବଂ ନ୍ୟାୟିକ ବ୍ୟବସ୍ଥାର ମୁଖ୍ୟମାନଙ୍କୁ ନିଯୁକ୍ତ ସଂକ୍ରାନ୍ତରେ ସେ ଚୂଡାନ୍ତ ନିଷ୍ପତ୍ତି ନେବେ ।

ତାଲିବାନ ପ୍ରଦେଶ ଏବଂ ଜିଲ୍ଲା ପାଇଁ ରାଜ୍ୟପାଳ, ପୋଲିସ ମୁଖ୍ୟ ଏବଂ ପୋଲିସ କମାଣ୍ଡରଙ୍କୁ ନିଯୁକ୍ତ କରିସାରିଛି। ନୂତନ ପ୍ରଶାସନ ବ୍ୟବସ୍ଥାର ନାମ, ଜାତୀୟ ପତାକା ଏବଂ ଜାତୀୟ ସଂଗୀତ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏଥି ସହିତ, ଏହି ପ୍ରସଙ୍ଗରେ ଭାରତ କହିଛି ଯେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।

ଅନ୍ୟପକ୍ଷରେ ଆଫଗାନିସ୍ତାନରୁ ଆମେରିକା ପ୍ରତ୍ୟାହାର ଏବଂ ତାଲିବାନ ନିୟନ୍ତ୍ରଣ ପରେ ଦେଶରେ ପ୍ରଥମଥର ମହିଳାମାନେ ତାଲିବାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହିଳାମାନେ ହେରାଟରେ ଥିବା ପ୍ରାଦେଶିକ କାର୍ଯ୍ୟାଳୟ ବାହାରେ ବିରୋଧ କରିଥିଲେ । ସେମାନଙ୍କୁ କାର୍ଯ୍ୟ କରିବାର ଅଧିକାର ଏବଂ ନୂଆ କ୍ୟାବିନେଟ୍ ରେ ମହିଳାଙ୍କୁ ସାମିଲ ପାଇଁ ଦାବି କରିଥିଲେ ।

Comments are closed.