ତାଲିବାନର ନୂଆ ସରକାରରେ ଅଛନ୍ତି ଜାତିସଂଘ ତାଲିକାଭୁକ୍ତ ପାଞ୍ଚ କୁଖ୍ୟାତ ଆତଙ୍କବାଦୀ, ଅନ୍ତର୍ଜାତୀୟ ସମୁଦାୟ ମାନ୍ୟତା ଦେବ ତ?

କାବୁଲ: ଶେଷରେ ତାଲିବାନ ନିଜ ନୂଆ ସରକାର ଘୋଷଣା କରିଛି। ତାଲିବାନ କ୍ୟାବିନେଟରେ ସେହି ସବୁ ଚେହେରା ସାମିଲ ଅଛନ୍ତି ଯେଉଁମାନେ ଗତ ୨୦ ବର୍ଷ ଧରି ଆଫଗାନିସ୍ତାନରେ ଆମେରିକା ସୈନ୍ୟବାହିନୀ ସହିତ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନୂଆ ତାଲିବାନ ସରକାରରେ ମୁଲ୍ଲା ହାସନ ଅଖୁଣ୍ଡ ହେବେ ପ୍ରଧାନମନ୍ତ୍ରୀ । ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୁଲ୍ଲା ଅବଦୁଲ ଘାନି ବରାଦର, ଯିଏ ଆମେରିକା ସହ ଆଲୋଚନାର ନେତୃତ୍ବ ନେଇଥିଲେ ଏବଂ ଆଫଗାନିସ୍ତାନରୁ ଆମେରିକାର ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ନେଇ ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ତାଲିବାନ ମୁଖପାତ୍ରଙ୍କ ସୂଚନା ଅନୁସାରେ ଆମୀର ଖାନ ମୁତକ୍କି ମଧ୍ୟବର୍ତ୍ତୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋଇଥିବାବେଳେ ଭାରତୀୟ ମିଲିଟାରୀ ଏକାଡେମୀରୁ ତାଲିମ୍ ନେଇଥିବା ଅବ୍ବାସ ଷ୍ଟାନିକଜାଇଙ୍କୁ ଉପ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। କୁଖ୍ୟାତ ହକ୍କାନି ନେଟୱାର୍କର ମୁଖ୍ୟ ସିରାଜୁଦ୍ଦିନ ହକ୍କାନିଙ୍କୁ ମଧ୍ୟବର୍ତ୍ତୀକାଳୀନ ଗୃହମନ୍ତ୍ରୀ କରାଯାଇଥିବା ବେଳେ ମୁଲ୍ଲା ୟାକୁବଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ୟାକୁବ ହେଉଛନ୍ତି ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରଙ୍କ ପୁଅ।

ନୂଆ ତାଲିବାନ ସରକାରରେ ଏପରି ପାଞ୍ଚ ନେତା ଅଛନ୍ତି ଯେଉଁମାନଙ୍କୁ ମିଳିତ ଜାତିସଂଘ ଆତଙ୍କବାଦୀ ଘୋଷଣା କରିଛି। ଏହାଛଡ଼ା ତାଲିବାନ ସରକାରର ନୂଆ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନିଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷିତ କରାଯାଇଛି । ସିରାଜୁଦ୍ଦିନ ହକ୍କାନିଙ୍କ ମୁଣ୍ଡ ଉପରେ ଆମେରିକା ୭୩ କୋଟି ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରିଥିଲା। ସିରାଜୁଦ୍ଦିନ ହକ୍କାନି ପାକିସ୍ତାନର ଉତ୍ତର ୱାଜିରିସ୍ତାନ ଅଞ୍ଚଳର ବାସିନ୍ଦା। କୁଖ୍ୟାତ ଆତଙ୍କବାଦୀ ସଂଗଠନ ହକ୍କାନି ନେଟୱାର୍କ ଚଳାଉଥିବା ସିରାଜୁଦ୍ଦିନ ହକ୍କାନି ଉତ୍ତର ୱାଜିରିସ୍ତାନର ମିରାମ ଶାହା ଅଞ୍ଚଳରେ ରହୁଥିବା କୁହାଯାଉଛି। ହକ୍କାନି ନେଟୱାର୍କର ଏହି ଶୀର୍ଷ ଆତଙ୍କବାଦୀଙ୍କ ନାମ ଏଫବିଆଇର ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ରହିଛି | ସେହିପରି ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ମୁଲ୍ଲା ହାସନ ଅଖୁଣ୍ଡ, ଉପପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘାନି ବରାଦର, ଦ୍ବିତୀୟ ଉପପ୍ରଧାନମନ୍ତ୍ରୀ ଅବଦୁଲ୍ ହନାଫି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଆମୀର‌ ଖାନ୍‌ ମୁତକ୍କି ମଧ୍ୟ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଜାତିସଂଘର ପ୍ରତିବନ୍ଧିତ ତାଲିକାରେ ଥିଲେ । ଏବେ ପ୍ରଶ୍ନ ଉଠୁଛି -ଆତଙ୍କବାଦୀରେ ଭରପୂର ତାଲିବାନର ଏହି ସରକାରକୁ ଅନ୍ତର୍ଜାତୀୟ ସମୁଦାୟ ମାନ୍ୟତା ଦେବ ତ ?

Comments are closed.