ଚେନ୍ନାଇ: ଜଣାଶୁଣା ତାମିଲ ଅଭିନେତ୍ରୀ ପୌଲିନ ଜେସିକାଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତଦେହ ତାଙ୍କ ଚେନ୍ନାଇ ସ୍ଥିତ ଫ୍ଲାଟରୁ ଉଦ୍ଧାର କରାଯାଇଛି | ସେ ଆନ୍ଧ୍ର ପ୍ରଦେଶର ମୂଳ ବାସିନ୍ଦା ଥିଲେ। ନିକଟରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘ବୈଧା’ରେ ମୁଖ୍ୟ ଚରିତ୍ର ଦୀପା ଭାବେ ସେ ଅଭିନୟ କରିଥିଲେ। ଏହାଛଡ଼ା ସେ ବିଭିନ୍ନ ତାମିଲ ଚଳଚ୍ଚିତ୍ର ଏବଂ ସିରିଏଲରେ ମଧ୍ୟ କାମ କରିଥିଲେ।
ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତଦେହ ସେପ୍ଟେମ୍ବର ୧୮ (ରବିବାର)ରେ ତାଙ୍କ ଆପାର୍ଟମେଣ୍ଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା | ଅଭିନେତ୍ରୀଙ୍କ ପଡ଼ୋଶୀଙ୍କଠାରୁ ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏହା ପରେ ଅଭିନେତ୍ରୀଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇଥିଲା ।
ଘଟଣା ଦିନ ଜେସିକାଙ୍କ ଘରକୁ କିଏ ଆସିଥିଲା ପୋଲିସ ତାହା ଜାଣିବାକୁ ଚେଷ୍ଟା କରୁଛି। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଅଭିନେତ୍ରୀ ଆତ୍ମହତ୍ୟା କରିବାର ଦିନକ ପୂର୍ବରୁ ଏକ ଅଟୋରେ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ଏହା ଏକ ଆତ୍ମହତ୍ୟା ମାମଲା ନା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ପୋଲିସ ତାହାର ଖୋଳତାଡ଼ କରୁଛି। ପୋଲିସର ସୂଚନାନୁସାରେ, ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଛି ଯେଉଁଥିରେ ଅଭିନେତ୍ରୀ ତାଙ୍କ ବିଫଳ ପ୍ରେମ ସମ୍ପର୍କକୁ ତାଙ୍କ ମୃତ୍ୟୁର କାରଣ ବୋଲି ଦର୍ଶାଇଛନ୍ତି।
Comments are closed.