ଭାଷଣକୁ ନେଇ ତାମିଲନାଡୁ ବିଧାନସଭାରେ ବିବାଦ, ଗୃହ ଛାଡ଼ି ଚାଲିଗଲେ ରାଜ୍ୟପାଳ

ଚେନ୍ନାଇ: ତାମିଲନାଡୁ ବିଧାନସଭାର ଶୀତ ଅଧିବେଶନ ପ୍ରଥମ ଦିନରେ ରାଜ୍ୟପାଳ ଆରଏନ୍ ରବିଙ୍କ ଅଭିଭାଷଣକୁ ନେଇ ବିବାଦ ସୃଷ୍ଟି ହୋଇଛି । ରାଜ୍ୟପାଳ ଗୃହକୁ ତାଙ୍କ ସମ୍ବୋଧନ ବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତୁତ ଅଭିଭାଷଣ ପରିବର୍ତ୍ତେ ନିଜ ଦ୍ଵାରା ପ୍ରସ୍ତୁତ ଭାଷଣ ପଢିଥିଲେ । ଏହାକୁ ଶାସକ ଡିଏମକେ ଏବଂ ଏହାର ସହଯୋଗୀ କଂଗ୍ରେସ ବିରୋଧ କରି ସ୍ଲୋଗାନବାଜି କରିଥିଲେ ।

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆପତ୍ତି ଉଠାଇଥିଲେ । ରାଜ୍ୟପାଳଙ୍କ ଅଭିଭାଷଣରେ କେବଳ ସରକାରଙ୍କ ଅଂଶ ରଖି ବାକି ସବୁ ରେକର୍ଡରୁ ହଟାଇବାକୁ ପ୍ରସ୍ତାବ ଗୃହୀତ କରିବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଷ୍ଟାଲିନ୍ କହୁଥିବା ବେଳେ ରାଜ୍ୟପାଳ ହଠାତ୍ ଗୃହରୁ ଚାଲି ଯାଇଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡିଏମକେ ବିଧାୟକମାନେ ରାଜ୍ୟପାଳଙ୍କ ବିରୋଧରେ ସ୍ଲୋଗାନ ଦେଇ ଅଭିଯୋଗ କରିଥିଲେ ଯେ ସେ ଆମ ଉପରେ ବିଜେପି ଓ ଆରଏସ୍ଏସର ବିଚାରଧାରା ଲଦିବାକୁ ଚାହୁଁଛନ୍ତି। ସେମାନେ କହିଥିଲେ ଏହା ନାଗାଲାଣ୍ଡ ନୁହେଁ, ତାମିଲନାଡୁ |

ରାଜ୍ୟପାଳଙ୍କ ନିକଟରେ ବିଚାରାଧୀନ ଥିବା ଅନେକ ବିଲକୁ ନେଇ ଶାସକ ଡିଏମକେ ଶାସନ ଓ ରାଜ ଭବନ ମଧ୍ୟରେ ବିବାଦ ଦେଖାଦେଇଛି। ଡିସେମ୍ବର ୨୦୨୨ ସୁଦ୍ଧା ରାଜଭବନ ପାଖରେ ମୋଟ ୨୧ ବିଲ୍ ବିଚାରାଧୀନ ଥିବା ଜଣାପଡ଼ିଛି ।

Comments are closed.