ନିରାଡମ୍ବର ପଟୁଆରରେ ବାପ ଘର ଆସିଲେ ବୁଢ଼ୀ ଠାକୁରାଣୀ

ବ୍ରହ୍ମପୁରର ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଶୁକ୍ରବାର ଏପ୍ରିଲ ୯ ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହୋଇଛି। କୋଭିଡ୍ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ପ୍ରଶାସନର କଟକଣା ମୁତାବକ ଦେବୀ ନିରାଡମ୍ବର ପଟୁଆରରେ ନିଜ ସ୍ଥାୟୀ ମନ୍ଦିର ଛାଡ଼ି ବାପଘର ଦେଶୀବେହେରା ସାହିର ଅସ୍ଥାୟୀ ପୀଠକୁ ଆଗମନ କରିଛନ୍ତି। ପ୍ରାୟ ମଧ୍ୟରାତ୍ର ୧୨.୨୩ରେ ଆମନ୍ତ୍ରଣ ଧରି ବାପା ତଥା ଯାତ୍ରାର ମୁଖ୍ୟ ଆୟୋଜକ ପି.ଦୁର୍ଗାପ୍ରସାଦ ଦେଶୀବେହେରା, ମାଆ ତଥା ଦେଶୀବେହେରାଙ୍କ ପତ୍ନୀ ଦେବକୀ ଚାଙ୍ଗୁଡି ଧରି ସ୍ଥାୟୀ ମନ୍ଦିରରେ ପହଞ୍ଚିଥିଲେ। ଦେବୀଙ୍କୁ ଆମନ୍ତ୍ରଣ ପୂଜା ପରେ ୧୨.୪୧ରେ ମା’ଙ୍କ ଅନୁମତି ସ୍ବରୂପ ତାଙ୍କ ମସ୍ତକରୁ ଫୁଲ ଉକ୍ତ ଚାଙ୍ଗୁଡିରେ ପଡିଥିଲା। ୧.୧୩ରେ ଅସ୍ଥାୟୀ ପୀଠ ଅଭିମୁଖେ ଚାଙ୍ଗୁଡି ମସ୍ତକରେ ଧରି ଠାକୁରାଣୀଙ୍କ ମାଆ ଦେବକୀ ଓ ଅନ୍ୟମାନେ ପଟୁଆରରେ ବାହାରି ଥିଲେ। ୧.୩୯ରେ ଦେବୀ ମାଆ ବାପାଙ୍କ ସହ ଦେବୀ ଅସ୍ଥାୟୀ ପୀଠ ଦେଶୀବେହେରା ସାହିରେ ପହଞ୍ଚିଥିଲେ। ଯାତ୍ରାର ପ୍ରଥମ ଦିନ ଆଜି ଶନିବାର ଠାକୁରାଣୀଙ୍କ ପାଳି ଥିବାରୁ ଭୋରରୁ ଶ୍ରଦ୍ଧାଳୁମାନେ ଦେବୀଙ୍କ ଦର୍ଶନ ଆରମ୍ଭ କରିଛନ୍ତି।

ଭିଡ଼ ନିୟନ୍ତ୍ରଣ ପାଇଁ ମା’ଙ୍କ ଆଗମନ ବେଳେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। ଏଣୁ ଅଞ୍ଚଳବାସୀ ବୁଢ଼ୀ ଠାକୁରାଣୀଙ୍କୁ ନିଜ ନିଜ ନିଜର ଘରେ ରହି ସ୍ବାଗତ କରି ଥିଲେ। ଏହି ଦ୍ବିବାର୍ଷିକ ଯାତ୍ରାରେ ଶ୍ରଦ୍ଧାଳୁ ଏଥର କେବଳ ଦେବୀ ଦର୍ଶନ କରିପାରିବେ। ପୂଜା, ଭୋଗ ପ୍ରସାଦ ସମ୍ପୂର୍ଣ୍ଣ ବାରଣ ହୋଇଛି। ଘଟ ପରିକ୍ରମା, ରଥ ଓ କଳାକୁଞ୍ଜ, ବେଶ ମଧ୍ୟ ମନା କରିଛି ପ୍ରଶାସନ।

Comments are closed.