ମହାତ୍ମା ଗାନ୍ଧୀଙ୍କ 12 ମାର୍ଚ୍ଚ 1930ରେ ଆରମ୍ଭ ହୋଇଥିବା ଯୁଗାନ୍ତକାରୀ ଲବଣ ସତ୍ୟାଗ୍ରହ ବ୍ରିଟିଶ ଶାସନର ମୂଳଦୁଆ ଦୋହଲାଇ ଦେଇଥିଲା | ତାର ପ୍ରଧାନ ଲକ୍ଷ୍ୟଥିଲା ଭାରତର ସ୍ୱାଧୀନତା ପ୍ରାପ୍ତି | ସେହି ସତ୍ୟାଗ୍ରହ ଆରମ୍ଭ ହେବାର ଚାରି ଦିନ ପୂର୍ବରୁ ପୃଥିବୀ ବିଖ୍ୟାତ ମେଡିକାଲ ପତ୍ରିକା “ଲାନସେଟ” ରେ ଏକ ଲେଖାରେ ଦର୍ଶଗଲା ଯେ ଯଦି ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ଯୋଗୁଁ ଭାରତ ସ୍ୱାଧୀନତା ପାଇ ଯାଏ ତେବେ ଭାରତରୁ ସବୁ ବ୍ରିଟିଶ ଡାକ୍ତର ବ୍ରିଟେନ ଫେରିଯିବେ ଏବଂ ଦେଶରେ ମେଡିକାଲ ଶିକ୍ଷା ର ପ୍ରସାର ସତ୍ଵେ ବହୁ ସଂଖ୍ୟା ରେ ଭାରତୀୟ ଡାକ୍ତର ନଥିବାରୁ ଦେଶର ଜନ ସ୍ୱାସ୍ଥ୍ୟ ଅବସ୍ଥା ଭୁଶୁଡି ପଡିବ | ସେହି ଲେଖା ରେ ଗାନ୍ଧୀଙ୍କୁ ମନେ ପକାଇଦେଇ ଲେଖାଯାଇଥିଲା ଯେ ଥରେ ସେ ଜେଲ ରେ ଥିବା ବେଳେ ଜଣେ ବ୍ରିଟିଶ ଡାକ୍ତରଙ୍କ ଅସ୍ତ୍ରୋପଚାର ଯୋଗୁଁ ତାଙ୍କର ଜୀବନ ବଂଚିଥିଲା | ଭାରତୀୟ ମାନେ ବ୍ରିଟିଶ ଡାକ୍ତର ମାନଙ୍କ ଉପରେ ଏତେ ପରିମାଣରେ ନିର୍ଭର କରୁଥିବାରୁ “ଲାନସେଟ”ର ଲେଖାରେ ଗାନ୍ଧୀଙ୍କୁ ଲବଣ ସତ୍ୟାଗ୍ରହକୁ ପ୍ରତ୍ୟାହାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା | ଏହାର ଉତ୍ତରରେ 10 ଏପ୍ରିଲ 1930ରେ ଗାନ୍ଧୀ ତାଙ୍କର ଲେଖା “ଦ୍ଵେଷ ପୂର୍ଣ ଆକ୍ଷେପ” ରେ ଲେଖିଲେ ଯେ ତାଙ୍କର ଅସ୍ତ୍ରୋପଚାର ଜଣେ ବ୍ରିଟିଶ ଡାକ୍ତର କରିଥିଲେ ଏଇଥିପାଇଁ ଯେ ଯେଉଁ ଭାରତୀୟ ଡାକ୍ତର ସେହି କାର୍ଯ୍ୟ କରିବାର ଥିଲା ସେ ଠିକ ସମୟରେ ପହଂଚି ପାରିନଥିଲେ | ସେ ଏ କଥା ମଧ୍ୟ ଲେଖିଥିଲେ ଯେ ବ୍ରିଟେନ ର ବହୁ ଲୋକ ଭାରତୀୟ ଡାକ୍ତରଙ୍କଠାରୁ ଚିକିତ୍ସା ପାଇ ଉପକୃତ ହୋଇଥିଲେ ଓ ଭାରତୀୟମାନେ ଡାକ୍ତରୀ ପାଠ ପଢିବାରୁ ବଂଚିତ ହୋଇ ଡାକ୍ତର ନହୋଇପାରିବାର ମୂଳ ହେଲା କାରଣ ବ୍ରିଟିଶ ଶାସନ | ସେ ଯୋର ଦେଇ ଲେଖିଥିଲେ ଯେ ସ୍ୱାଧୀନତା ପାଇବା ପରେ ଭାରତ ସବୁ କ୍ଷେତ୍ରରେ ଅଗ୍ରସର କରିବ ଓ ଡାକ୍ତରୀ ପାଠ ପଢିବାପାଇଁ ଭାରତୀୟ ମାନଙ୍କୁ ଯଥେଷ୍ଟ ସୁବିଧା ମିଳିବ ଏବଂ ଭାରତୀୟ ଡାକ୍ତରମାନେ ତାଙ୍କର ଦକ୍ଷତା ଯୋଗୁଁ ବିଶ୍ୱ ପ୍ରସିଦ୍ଧ ହେବେ | ଓଡ଼ିଶାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ ସ୍ୱର ଉତ୍ତୋଳନ କରି ଓଡ଼ିଆ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଡାକ୍ତରୀ ପାଠ ପଢିବା ପାଇଁ ଅଧିକା ସୁଯୋଗର ଦାବି କରିଥିଲେ | ଗାନ୍ଧୀ ଭାରତରେ ଡାକ୍ତରୀ ଶିକ୍ଷାର ପ୍ରସାର ଓ ଭାରତୀୟ ଡାକ୍ତରଙ୍କ ସପକ୍ଷରେ ଲେଖିବାର ନବେ ବର୍ଷ ପରେ ଭାରତୀୟମାନେ ଡାକ୍ତରୀ ପଢି ଦେଶ ବିଦେଶରେ ନିଜପାଇଁ ଓ ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି | କିନ୍ତୁ ଏ କଥା ମଧ୍ୟ ସତ୍ୟ ଯେ ଆମ ଦେଶରେ ସାମାଜିକ ଓ ଅର୍ଥନୈତିକ କାରଣରୁ ବହୁ ଛାତ୍ର ଛାତ୍ରୀ ଯୋଗ୍ୟତା ଓ ମେଧା ଶକ୍ତି ଥାଇ ମଧ୍ୟ ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ପଢିବାରୁ ବଂଚିତ ହୋଇଥାନ୍ତି |
ଓଡିଶା ସରକାରଙ୍କ 21 ଡ଼ିସେମ୍ବର 2020 ର ମେଡିକାଲ ଓ ଇଂଜିନିରିଂ କଲେଜ ମାନଙ୍କ ରେ ଆସନ୍ତା ବର୍ଷ ଠାରୁ ସରକାରୀ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ପାଇଁ ସ୍ଥାନ ସଂରକ୍ଷଣ କରିବା ଘୋଷଣା ଏବଂ ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ପାଇଁ ରାଜ୍ୟ କେବିନେଟର 28 ଡ଼ିସେମ୍ବର ର ନିଷ୍ପତି ସବୁ ଦୃଷ୍ଟିରୁ ଐତିହାସିକ ଥିଲା | ଭାରତରେ ତାମିଲନାଡୁ ପରେ ଓଡିଶା ଏହି ପ୍ରକାର ଘୋଷଣା କରିବାରେ ହେଉଛି ଦ୍ଵିତୀୟ ରାଜ୍ୟ| ତାମିଲନାଡୁରେ 18 ନଭେମ୍ବର 2020 ରେ ସେଠିକାର ସରକାର ସେହି ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଯୋଗ୍ୟ ଛାତ୍ର ଛାତ୍ରୀ ପାଇଁ ମେଡିକାଲ ଓ ଇଂଜିନିୟରିଂ ପଢିବା ନିମିତ୍ତ ଶତକଡା 7.5 ଆସନରେ ସଂରକ୍ଷଣ ର ବ୍ୟବସ୍ଥା ବିଧାନ ସଭାରେ ଏକ କାନୂନ ପାରିତ କରି ସୁନିଶ୍ଚିତ କରିଛନ୍ତି |
ଓଡିଶା ସରକାରଙ୍କ ସେହି ନିଷ୍ପତିକୁ ରାଜ୍ୟର ବିଭିର୍ନ ସ୍ତରରେ ସ୍ୱାଗତ କରାଯାଇଛି | 21 ଡ଼ିସେମ୍ବର 2020 ର ଘୋଷଣା ପରେ ପରେ ବ୍ରହ୍ମପୁରର ଗଂଜାମ ଫୋରମ ର ଅନ୍ୟତମ ପ୍ରତିଷ୍ଟାତା ଓ ଆବାହକ ଶ୍ରୀ ସୁଧୀର ରାଉତ ସେହି ଘୋଷଣାକୁ ସ୍ୱାଗତ କରି ତାଙ୍କ ଟ୍ୱିଟରେ ଆଶା ପ୍ରକାଶକଲେ ଯେ ସରକାର ତାକୁ ଶୀଘ୍ର କାର୍ଯ୍ୟରେ ପରିଣତ କରିବେ ଓ ତଦ୍ୱାରା ସରକାରୀ ବିଦ୍ୟାଳୟରେ ଶିକ୍ଷାର ମାନଦଣ୍ଡର ଉର୍ନତି ହେବ | ପ୍ରକାଶ ଥାଉକି ଶ୍ରୀ ରାଉତ ବ୍ରହ୍ମପୁର ସହର ସ୍ଥିତ ଆର୍ଯ୍ୟ ଭଟ୍ଟ ସଂସ୍ଥାର ସ୍ଥାପକ ଓ ସେଠାରେ ବହୁ ସଂଖ୍ୟାରେ ସରକାରୀ ବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟ ରେ ପଢିଥିବା ଗରିବ ଛାତ୍ର ଓ ଛାତ୍ରୀ ଓ ଅଳ୍ପ ସଂଖ୍ୟକ ସମ୍ପ୍ରଦାୟକର ବିଦ୍ୟାର୍ଥୀ ମାନଙ୍କୁ ମାଗଣାରେ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ଶିକ୍ଷା ଦିଆଯାଏ ଓ ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ସଫଳତା ହାସଲ କରି ଭାରତର ଆଇ ଆଇ ଟି, ଏନ ଆଇ ଟି ଓ ପ୍ରସିଦ୍ଧ ମେଡିକାଲ କଲେଜ ମାନଙ୍କରେ ଅତୀତରେ ପଢିଥିଲେ ଓ ବର୍ତମାନ ମଧ୍ୟ ପଢୁଛନ୍ତି | ଅନ୍ୟ କେତେ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତକରି ଆଶା ବ୍ୟକ୍ତ କରିଛନ୍ତି ଯେ ସେହି ନିଷ୍ପତି ଗ୍ରାମାଞ୍ଚଳ ପିଲାଙ୍କ ସ୍ବପ୍ନ ପୂରଣ ପାଇଁ ସହାୟକ ହେବ |
ସ୍ଥାନ ସଂରକ୍ଷଣ ନିଷ୍ପତି ଆର୍ଥିକ, ସାମାଜିକ ଓ ଅନ୍ୟ ଦୃଷ୍ଟିରୁ ପଛୁଆ ବର୍ଗର ବିଦ୍ୟାର୍ଥୀ ମାନଙ୍କ ପାଇଁ ସହାୟକ ହେବ | ବର୍ତମାନ ସମଗ୍ର ବିଶ୍ୱ ଓ ଭାରତରେ ବଜାର ସ୍ଥିର କରୁଛି କେଉଁ ସ୍କୁଲ ଓ କେଉଁ ଭାଷାରେ ପିଲାମାନଙ୍କୁ ପଢାଇଲେ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବ | ଆର୍ଥିକ ଓ ସାମାଜିକ ଦୁରାବସ୍ଥା ଯୋଗୁଁ ଆମର ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ବ୍ୟୟ ସାପେକ୍ଷ ଘରୋଇ ବିଦ୍ୟାଳୟରେ ଶିକ୍ଷା ପ୍ରାପ୍ତ କରି ପାରନ୍ତି ନାହିଁ | ସେହି କାରଣରୁ ସେମାନେ ସରକାରୀ ବିଦ୍ୟାଳୟରେ ସାମାନ୍ୟ ଅର୍ଥ ଦେଇ ପାଠ ପଢ଼ନ୍ତି | ଜଗତି କରଣ ଓ ବଜାର ନିର୍ଦ୍ଧାରଣ କରୁଥିବା ଶିକ୍ଷା ପ୍ରଣାଳୀ ପରିପ୍ରେକ୍ଷୀରେ ଆମେ ଦେଖିବାକୁ ପାଉ ଯେ ଦଳିତ, ଆଦିବାସୀ, ଗରିବ ଓ ସାମାଜିକ କାରଣରୁ ପଛୁଆ ଶ୍ରେଣୀ ର ପିଲାମାନେ ସରକାରୀ ବିଦ୍ୟାଳୟ ରେ ପାଠ ପଢ଼ନ୍ତି ଓ ସେମାନଙ୍କ ସଂଖ୍ୟା ତଥାକଥିତ ଇଂରାଜୀ ରେ କୁହାଯାଉଥିବା ପବ୍ଲିକ ସ୍କୁଲ ରେ ନଗଣ୍ୟ | ସେହି ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଦୂର ଦୁରାନ୍ତ ଓ ଗ୍ରାମାଞ୍ଚଳରେ ପଢୁ ଥିବାରୁ ସହର ଓ ନଗରୀ ମାନଙ୍କରେ ଥିବା ବୟବହୁଳ ପ୍ରଶିକ୍ଷଣ ବା କୋଚିଂ ସଂସ୍ଥା ମାନଙ୍କରେ ପଢିବା ପାଇଁ ସକ୍ଷମ ହୋଇନଥାନ୍ତି | ଯାହା ଫଳରେ ସହରର ସ୍କୁଲ ପିଲାଙ୍କ ତୁଳନାରେ ଗ୍ରାମାଞ୍ଚଳର ପିଲାମାନେ ମେଡିକାଲ ଓ ଇଂଜିନିୟରିଂ କଲେଜରେ ସ୍ଥାନ ପାଇବା ଅସମ୍ଭବ ହୋଇଯାଏ | ସମଗ୍ର ଭାରତ ପାଇଁ ଗୋଟିଏ ମେଡିକାଲ ପ୍ରବେଶିକା ପରୀକ୍ଷା ହେବା ପରେ ଦେଖା ଯାଇଛି ଯେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଗ୍ରାମାଞ୍ଚଳ ପିଲାମାନେ ଆଉ ବିଶେଷ ଭାବେ ସଫଳତା ଅର୍ଜନ କରି ପାରୁ ନାହାନ୍ତି ଓ ମେଡିକାଲ ଏବଂ ଇଞ୍ଜିନୟରିଂ କଲେଜରେ ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି | ବହୁ ଗ୍ରାମାଂଚଳର ଛାତ୍ର ଛାତ୍ରୀ ମାନେ ମେଧାବୀ ହୋଇଥିଲେ ମଧ୍ୟ ମେଡିକାଲ ଓ ଇଂଜିନିୟରିଂ କଲେଜ ରେ ପ୍ରବେଶ କରି ନପାରି ଆତ୍ମ ହତ୍ୟା ମଧ୍ୟ କରିଥାନ୍ତି | ଏହି ପ୍ରକାର ସଂରକ୍ଷଣ କରିବା ଦ୍ୱାରା ବହୁ ଛାତ୍ର ଛାତ୍ରୀ ଯେଉଁ ମାନେ ଅର୍ଥନୈତିକ ଓ ସାମାଜିକ କାରଣରୁ ବଂଚିତ ଥାନ୍ତି ସେମାନେ ଉପକୃତ ହୋଇପାରିବେ ଏବଂ ସମ୍ଭବତଃ ଏହି ପଦକ୍ଷେପ ଦ୍ୱାରା ସରକାରୀ ବିଦ୍ୟାଳୟର ଶିକ୍ଷା ପ୍ରଦାନ ଓ ପଢାପଢିର ମାନଦଣ୍ଡ ବୃଦ୍ଧି ହୋଇପାରିବ |
ଅର୍ଥନୀତିର ଉଦାରୀ କରଣ ଓ ବଜ଼ାରି କରଣ ବୃଦ୍ଧିଦ୍ୱାରା ଶିକ୍ଷା ସ୍ତରରେ ବ୍ୟୟବହୁଳ ଘରୋଇ ବିଦ୍ୟାଳୟର ପ୍ରାଧାନ୍ୟ ବଢ଼ିଲା ଏବଂ ସରକାରୀ ବିଦ୍ୟାଳୟ ମାନଙ୍କ ମାନଦଣ୍ଡ କମିବାକୁ ଲାଗିଲା ଓ କ୍ରମାଗତ କମୁଛି ମଧ୍ୟ | ଭାରତର ନୂଆ ଶିକ୍ଷାନୀତି 2020 ରେ ସରକାରୀ ବିଦ୍ୟାଳୟ ମାନଙ୍କ ବିଶ୍ୱସନୀୟତାକୁ ଫେରାଇ ଆଣିବାକୁ ପାଇଁ ଗୁରୁତ୍ଵ ଦିଆଯାଇଛି | ତେଣୁ ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଓଡିଶା ସରକାର ଯେଉଁ ସଂରକ୍ଷଣ ଘୋଷଣା କଲେ ତାହା ସେହି ବିଦ୍ୟାଳୟ ମାନଙ୍କ ବିଶ୍ୱସନୀୟତାକୁ ଫେରାଇ ଆଣିବା ଦିଗରେ ସହାୟକ ହେବ ବୋଲି ଆଶା କରାଯାଏ|
ଏହା ଏକ ବିଡମ୍ବନା ଯେ ଓଡିଶା ର ମୂଖ୍ୟ ବିରୋଧୀ ଦଳ, ଭାରତୀୟ ଜନତା ପାର୍ଟି, ଓଡିଶା ସରକାରଙ୍କର ସରକାରୀ ବିଦ୍ୟାଳୟ ପିଲାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନୀତି କୁ ତୀବ୍ର ସମାଲୋଚନା କରିଛି ଏବଂ ଏହା ସେହି ଦଳର ବର୍ତମାନ ଥିବା ସଭାପତି ଓ ଭାରତର ପୂର୍ବତନ ସ୍ଵାସ୍ତ୍ୟ ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡାଙ୍କ 2017 ରେ ତାମିଲନାଡୁ ସରକାର କୁ ସେହି ପ୍ରକାରର ସଂରକ୍ଷଣ କରିବା ପରାମର୍ଶର ଠିକ ବିପରୀତ | ଏଥିରୁ ପ୍ରମାଣିତ ହେଉଛିଯେ ସେହି ଦଳର ବାଁ ହାତ ଜାଣିପାରୁନି ଡାହାଣ ହାତ କଣ କରୁଛି | ଓଡ଼ିଶାର ବିଜେପି ପ୍ରବକ୍ତା ସମାଲୋଚନା କରି କହିଲେ ଯେ ଏ ପ୍ରକାର ସଂରକ୍ଷଣ ଏକ ଉଦ୍ଭଟ ଧାରଣା, କାରଣ ସମ୍ଭିଧାନରେ ଏହି କାରଣରୁ ସଂରକ୍ଷଣ ଦେବାର ବ୍ୟବସ୍ଥା ନାହିଁ | 15 ଏପ୍ରିଲ 2017 ରେ ଇକୋନୋମିକ ଟାଇମ୍ସ ରେ “ଗ୍ରାମାଚଂଳ ଛାତ୍ର ଛାତ୍ରୀଙ୍କୁ ମେଡିକାଲ କଲେଜେର ନାମ ଲେଖାଇବା ପାଇଁ ତାମିଲନାଡୁ ସଂରକ୍ଷଣର ବ୍ୟବସ୍ଥା କରିପାରିବ: ଜେ ପି ନଡ୍ଡା” ନାମକ ଶୀର୍ଷକରେ ଏକ ଖବର ଛପି ଥିଲା | ଓଡିଶା ସରକାର ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ପାଇଁ ଯେଉଁ ସଂରକ୍ଷଣ ଦେବାକୁ ପଦକ୍ଷେପ ନେଉଛନ୍ତି ତାହା କରିବାପାଇଁ ଶ୍ରୀ ନଡ୍ଡା 2017 ରେ ତାମିଲନାଡୁ ସରକାରକୁ କହିଥିଲେ ଏବଂ ତାହା ସେହି ସରକାର 18 ନଭେମ୍ବର 2020 ବିଧାନ ସଭାରେ ଆଇନ ପାରିତ କରି କାର୍ଯ୍ୟରେ ପରିଣତ କଲେ | ଏହି କାରଣରୁ ଓଡ଼ିଶାରେ ବିଜେପି ଠିକ ଏହାର ବିପରୀତ କଥା କହିବା ଏକ ଆଶ୍ଚର୍ଯ୍ୟ କଥା | ତାମିଲନାଡୁର ସରକାର ଶତକଡା 7.5 ଆସନ ସରକାରୀ ବିଦ୍ୟାଳୟ ପିଲାଙ୍କ ପାଇଁ ସଂରକ୍ଷଣ କରିବା ପରେ ବିଜପିକୁ ସମର୍ଥନ କରିବା ଡିଜିଟାଲ ମାଧ୍ୟମ ସ୍ବରାଜ୍ୟମାଗ.କମ (swarajyamag.com) ରେ ତାମିଲନାଡ଼ୁର ବିଜେପି ସଭାପତିଙ୍କ ମନ୍ତବ୍ୟ ପ୍ରକାଶ ପାଇଲା ଓ ସେଥିରେ ସେ ସ୍ପଷ୍ଟ ଭାବେ ଦାର୍ଶଗଲା ଯେ ସେହି ରାଜ୍ୟର ସରକାର ଯାହା କଲେ ତାହା 2017 ରେ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନଡ୍ଡାଙ୍କ ମତାମତ ଉପରେ ଆଧାରିତ |
ଭାରତର ଏଟର୍ନି ଜେନେରାଲଙ୍କ ଆଇନଗତ ମତାମତ ନେବାପରେ ତାମିଲନାଡୁର ରାଜ୍ୟପାଳ ସେହି ରାଜ୍ୟର ବିଧାନ ସଭାରେ ପାରିତ ହୋଇଥିବା ସରକାରୀ ବିଦ୍ୟାଳୟର ପଢ଼ୁଥିବା ପିଲାମାନଙ୍କ ସଂରକ୍ଷଣ ଜନିତ ଆଇନରେ ଦସ୍ତଖତ କରିଥିଲେ | ଅର୍ଥାତ ସେହି ସଂରକ୍ଷଣ ସମ୍ପୂର୍ଣ ଆଇନ ସଂଗତ ବୋଲି ରାଜ୍ୟ ପାଳଙ୍କ ହୃଦବୋଧ ହେବାପରେ ସେ ତାକୁ ଗ୍ରହଣ କରିଥିଲେ |
ପୁଂଖାନୁପୁଙ୍ଖ ଆଲୋଚନା କରି ସମାଲୋଚନା କଲେ ତାହାର ଯଥାର୍ଥତା ବୁଝି ହେବ | ବିନା ବିଶ୍ଳେଷଣ ରେ ତଥ୍ୟକୁ ଅବହେଳାକରି ସମାଲୋଚନା କଲେ ପ୍ରମାଣିତ ହେବ ଯେ ଗଭୀର ଭାବେ ମନ ଓ ମସ୍ତିକକୁ ପ୍ରୟୋଗ କରାଯାଇ ନାହିଁ | ବାବାସାହେବ ଆମ୍ବେଦକରଙ୍କ ସ୍ଲୋଗାନ ଥିଲା “ଶିକ୍ଷା, ସଂଗଠନ ଓ ଆନ୍ଦୋଳନ” | ଏହି ପଦ୍ଧତି ରେ ଲୋକ ଯୁକ୍ତି ପ୍ରୟୋଗ କରି ତଥ୍ୟ ଭିତ୍ତିକ ସମାଲୋଚନା କରି ବିଭିର୍ଣ୍ଣ ପଦକ୍ଷେପର ଠିକ ଓ ଭୁଲ ଦିଗ ଗୁଡିକ ବିଶ୍ଳେଷଣ କରାଯାଇ ପାରିବ | ଓଡିଶା ସରକାରଙ୍କ ସଂରକ୍ଷଣ ନୀତି ସମାଲୋଚନା ଓ ତର୍ଜମା ର ଉର୍ଦ୍ଧରେ ନାହିଁ | ତେବେ ସମାଲୋଚନା ଓ ତର୍ଜମା ଯୁକ୍ତି ସଂଗତ ହେବା ଆବଶ୍ୟକ |
ଲେଖକ ଭାରତର ପୁର୍ବତନ ରାଷ୍ଟ୍ରପତି କେ.ଆର ନାରାୟଣନଙ୍କ ବିଶେଷ ଅଧିକାରୀ ଓ ପ୍ରେସ୍ର ସଚିବ ଥିଲେ | ମୋବାଇଲ ନଂ: 9871894534