ଦୀର୍ଘ ୨୮ ବର୍ଷ ପରେ ଆସିବ ବାବ୍ରି ମସଜିଦ ଭଙ୍ଗ ମାମଲାର ରାୟ, ହିଂସା ଆଶଙ୍କାରେ ସବୁ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ଲକ୍ଷ୍‌ନୌ- ଦୀର୍ଘ ୨୮ ବର୍ଷ ପରେ ଆସନ୍ତାକାଲି ପ୍ରକାଶ ପାଇବା ବାବ୍ରି ମସଜିଦ ଭଙ୍ଗ ସଂପର୍କିତ ଷଡଯନ୍ତ୍ର ମାମଲାର ରାୟ । ବାବ୍ରୀ ମସଜିଦ ଭଙ୍ଗ ସଂପର୍କିତ ଷଡଯନ୍ତ୍ର ମାମଲାର ରାୟ ଶୁଣାଇବେ ସ୍ୱତନ୍ତ୍ର ସିବିଆଇ ବିଚାରପତି ଜଷ୍ଟିସ ଏସ.କେ ଯାଦବ । ଏହି ମାମଲାରେ ବିଜେପିର ବରିଷ୍ଠ ନେତାଗଣ- ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀ,କଲ୍ୟାଣ ସିଂହ, ଉମା ଭାରତୀ ପ୍ରମୁଖ ଅଭିଯୁକ୍ତ ଅଛନ୍ତି । ରାୟ ଶୁଣାଣି ବେଳେ ସେମାନଙ୍କୁ କୋର୍ଟରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି । ମାମଲାରେ ଏବେ ୩୨ ଅଭିଯୁକ୍ତ ଅଛନ୍ତି । ରାୟ ପୂର୍ବରୁ ଦେଶର ଅନେକ ସ୍ଥାନରେ କିଛି ସଂଗଠନ ହିଂସାକାଣ୍ଡ ଘଟାଇବାର ଆଶଙ୍କା ଥିବାରୁ ସବୁ ରାଜ୍ୟକୁ ସତର୍କ ରହିବା ପାଇଁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସିବିଆଇ ଏହି ମାମଲାରେ ୧୯୯୩ ମସିହାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା । ୪ ବର୍ଷ ପରେ ୧୯୯୭ରେ ଲକ୍ଷ୍‌ନୌ ମାଜିଷ୍ଟ୍ରେଟ୍ ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ, ୨୦୦୧ ମସିହାର ଆଲାହାବାଦ ହାଇକୋର୍ଟ ଆଡଭାନିଙ୍କ ବିରୋଧରେ ଅଭିଯୋଗ ବାଦ୍ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବହୁ ଉତଥାନ ପତନ ପରେ ୨୦୧୭ରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ମାମଲାର ଅଗ୍ରଗତି ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ନିୟମିତ ଶୁଣାଣି ଆରମ୍ଭ ହୋଇଥିଲା । ଏହି ମାମଲାରେ ସିବିଆଇ ୩୫୦ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି । ଜୁଲାଇରେ ଭିଡିଓ କନଫରେନସିଂ ଜରିଆରେ ହାଜର ହୋଇ ଲାଲକୃଷ୍ଣ ଆଡଭାନି ଏହି ମାମଲାର ନିଜର ସଂପକ୍ତି ଅଭିଯୋଗକୁ ଅସ୍ୱୀକାର କରିଥିଲେ । ରାଜନୈତିକ ଚାପରେ ମାମଲାର ଯାଂଚ କରାଯାଇଥିଲା ବୋଲି ସେ କହିଥିଲେ ।

Comments are closed.