ଆଜି ସିରିଜ୍ ନିର୍ଣ୍ଣାୟକ ତୃତୀୟ ଦିନିକିଆ: ବ୍ୟାଟିଂ ସୁଧାରିବା ଲକ୍ଷ୍ୟରେ ଭାରତ 

ମାଞ୍ଚେଷ୍ଟର : ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜ୍ ନିର୍ଣ୍ଣାୟକ ତୃତୀୟ ତଥା ଅନ୍ତିମ ଦିନିକିଆ ରବିବାର ଓଲ୍ଡ ଟ୍ରାଫୋର୍ଡରେ ଖେଳାଯିବ । ଦ୍ୱିତୀୟ ଦିନିକିଆରେ ୧୦୦ ରନରେ ଶୋଚନୀୟ ପରାଜୟ ପରେ ଭାରତ ନିଜ ବ୍ୟାଟିଂ ରଣନୀତି ବଦଳାଇପାରେ । ଦ୍ୱିତୀୟ ମ୍ୟାଚରେ ୨୪୭ ରନର ମାମୁଲି ଟାର୍ଗେଟର ପିଛା କରି ଭାରତ ଆରମ୍ଭରୁ ଅତ୍ୟଧିକ ସର୍ତକତା ଅବଲମ୍ବନ କରିଥିଲା । ଯାହା ଦଳକୁ ମହଙ୍ଗା ପଡ଼ିଥିଲା । ସିରିିଜ୍ ନିର୍ଣ୍ଣାୟକ ତୃତୀୟ ଦିନିକିଆରେ ଭାରତ ନିର୍ଭୀକ ଆଭିମୁଖ୍ୟ ଆପଣାଇବ ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି୨୦ ସିରିଜରେ ଆକ୍ରକଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରି ବହୁମାତ୍ରାରେ ସଫଳ ହୋଇଥିଲା । କିନ୍ତୁ ଦ୍ୱିତୀୟ ଦିନିକିଆରେ ୨୪୭ ରନର ସାଧାରଣ ସ୍କୋରକୁ ପିଛାକରି ଭାରତୀୟ ବ୍ୟାଟ୍ସମ୍ୟାନ୍ ଯେଉଁଭଳି ରକ୍ଷଣାତ୍ମକ ନୀତି ଆପଣାଇଥିଲେ, ତାହା କେହି ବୁଝିପାରିନଥିଲେ । ଯଦିଓ ସେହି ମ୍ୟାଚରେ ଇଂଲଣ୍ଡ ବୋଲର, ବିଶେଷକରି ପେସର ରିସ୍ ଟପଲେ ଓ ଡେଭିଡ୍ ୱିଲି ଶାଣିତ ପ୍ରଦର୍ଶନ କରିଥିଲେ, ତେବେ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ନକାରାତ୍ମକ ଆଭିମୁଖ୍ୟ ଯୋଗୁଁ ହାତରୁ ମ୍ୟାଚ୍ ଖସିଯାଇଥିଲା । ସେ ଓ ତାଙ୍କ ଓପନିଂ ପାର୍ଟନର ଶିଖର ଧାୱନ ଆରମ୍ଭରୁ ଅଧିକ ସତର୍କତା ଅବଲମ୍ବନ କରିଥିଲେ ବୋଲି କ୍ୟାପଟେନ ରୋହିତ ଶର୍ମା ନିଶ୍ଚିତ ଭାବେ ସ୍ୱୀକାର କରିବେ । ଏହାଛଡ଼ା ବିରାଟ କୋହଲିଙ୍କ କ୍ରମାଗତ ବିଫଳତା ମଧ୍ୟ ଭାରତର ସମସ୍ୟାକୁ ବଢାଇ ଦେଇଛି । ତେବେ ରୋହିତ ଓ ଧାୱନଙ୍କ ଭଳି ଦୁଇ ଅଭିଜ୍ଞ ଓପନର ପ୍ରଥମ ଦୁଇ ଓଭରରେ କୌଣସି ରନ୍ କରିନପାରିବା ସ୍ପଷ୍ଟ ସଙ୍କେତ ଯେ ଉଭୟଙ୍କ ପାଖରେ ସକାରାତ୍ମକ ଆଭିମୁଖ୍ୟ ନଥିଲା । ତେଣୁ ତୃତୀୟ ଦିନିକିଆରେ ଭାରତକୁ୍‌, ବିଶେଷକରି ସିନିୟର ବ୍ୟାଟ୍ସମ୍ୟାନଙ୍କୁ ସକାରାତ୍ମକ ଓ ନିର୍ଭୀକ ଆଭିମୁଖ୍ୟ ଆପଣାଇବାକୁ ପଡ଼ିବ ।

ଦ୍ୱିତୀୟ ଦିନିକିଆ ପରେ ରୋହିତ କହିଥିଲେ, ଦଳର ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ନିଜ ଦକ୍ଷତା ମୁତାବକ ପ୍ରଦର୍ଶନ କରିବା ଦରକାର । ସେମାନେ ଟିମ୍ ସ୍କୋର ଦେଖିବା ପରିବର୍ତ୍ତେ ନିଜେ କଣ କରିପାରିବେ ତାହା ଚିନ୍ତା କରିବାକୁ ହେବ । ଯଦି ସେମାନେ ଏପରି ସ୍ଥିତିରେ ଦଳକୁ ଉଦ୍ଧାର କରିବାରେ ସଫଳ ହୁଅନ୍ତି, ତେବେ ଦଳ ପାଇଁ ଭଲ ହେବ ।

ଟି୨୦ ସିରିଜରେ ଭାରତର ଆକ୍ରମଣାତ୍ମକ ରଣନୀତି ସଫଳ ହୋଇଥିଲା । ଦିନିକିଆରେ ଏପରି ରଣନୀତି କାମ ନ ଦେବ ବୋଲି କୌଣସି କାରଣ ନାହିଁ । ପ୍ରଥମ ଦୁଇ ଦିନିକିଆରେ ଇଂଲଣ୍ଡର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍ ମଧ୍ୟ ସଂଘର୍ଷ କରିଛି । ଜୋସ ବଟଲର, ଜନି ବେୟାରଷ୍ଟୋ, ଜାସନ ରୟ, ବେନ୍ ଷ୍ଟୋକ୍ସ ଓ ଲିଆମ୍ ଲିଭିଂଷ୍ଟୋନଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଏହି ଦୁଇ ମ୍ୟାଚରେ ପୁରୁଣା ଶୈଳୀର ଦିନିକିଆ କ୍ରିକେଟ୍ ଖେଳୁଥିବା ମନେ ହୋଇଥିଲା । ତେବେ ଇଂଲଣ୍ଡର ତାରକା ଖଚିତ ବ୍ୟାଟିଂ ଲାଇନ୍ ଅପ ଉପରେ ପୁଣି ଏପରି ଅଙ୍କୁଶ ଲଗାଇବାକୁ ଚାହିଁବ ଭାରତ । ଭାରତକୁ ମ୍ୟାଚ୍ ସହ ସିରିଜ ଜିତିବାକୁ ହେଲେ ନିଜ ରଣନୀତି ବଦଳାଇବାକୁ ହେବ । କାରଣ ଓଲ୍ଡ ଟ୍ରାଫୋର୍ଡରେ ପିଚ୍ ମଧ୍ୟ ସୁଇଂ ବୋଲିଂ ପାଇଁ ଅନୁକୂଳ । ଏହି ଭେନ୍ୟୁରେ ହିଁ ଭାରତ ୨୦୧୯ ବିଶ୍ୱକପ ସେମିଫାଇନାଲରେ ୨୩୯ ରନର ଏକ ମାମୁଲି ଲକ୍ଷ୍ୟକୁ ପିଛା କରିବାରେ ବିଫଳ ହୋଇ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା ।

Comments are closed.