ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ, ମିଳିଲା ଧମକପୂର୍ଣ୍ଣ ଚିଠି, ଭାରତରେ ରହୁଥିବା ନିଜ ନାଗରିକମାନଙ୍କୁ ସତର୍କ କଲା ଇସ୍ରାଏଲ୍ | News Room Odisha

ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ, ମିଳିଲା ଧମକପୂର୍ଣ୍ଣ ଚିଠି, ଭାରତରେ ରହୁଥିବା ନିଜ ନାଗରିକମାନଙ୍କୁ ସତର୍କ କଲା ଇସ୍ରାଏଲ୍

ନୂଆଦିଲ୍ଲୀ/ଜେରୁଜେଲମ: ଇସ୍ରାଏଲ୍-ହାମାସ୍ ଯୁଦ୍ଧ ମଧ୍ୟରେ ନୂଆଦିଲ୍ଲୀରେ ଥିବା ଇସ୍ରାଏଲ୍ ଦୂତାବାସ ନିକଟରେ ମଙ୍ଗଳବାର ରାତିରେ ଏକ ବିସ୍ଫୋରଣ ଘଟିଛି। ବିସ୍ଫୋରଣର ତୀବ୍ରତା କମ୍ ଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ଘଟଣାସ୍ଥଳରୁ ଇସ୍ରାଏଲ୍ ଦୂତାବାସଙ୍କ ଉଦ୍ଦେଶ୍ୟରେ ଇଂରାଜୀରେ ଲେଖାଯାଇଥିବା ଏକ ଧମକପୂର୍ଣ୍ଣ ଚିଠି ମିଳିଛି।

ଇସ୍ରାଏଲ ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛି | ଏହି ବିସ୍ଫୋରଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହି ଇସ୍ରାଏଲ୍ ଦୂତାବାସ ଭାରତରେ ରହୁଥିବା ନିଜ ନାଗରିକଙ୍କ ପାଇଁ ସତର୍କ ରହିବାକୁ ଆଡଭାଇଜରି ଜାରି କରିଛି।

ଇସ୍ରାଏଲ୍ ଜାତୀୟ ସୁରକ୍ଷା ପରିଷଦ ଇସ୍ରାଏଲ୍ ନାଗରିକମାନଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନ (ମଲ୍, ବଜାର) କୁ ନ ଯିବାକୁ ପରାମର୍ଶ ଦେଇଛି | ଏହାଛଡ଼ା, ଇହୁଦୀ ଏବଂ ଇସ୍ରାଏଲ୍ ସହ ଜଡ଼ିତ ପରିଚିତ ସ୍ଥାନକୁ ନ ଯିବାକୁ ମଧ୍ୟ କୁହାଯାଇଛି।

ରେଷ୍ଟୁରାଣ୍ଟ, ହୋଟେଲ ଏବଂ ପବ୍ କୁ ନ ଯିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାତ୍ରା ସମୟରେ ଲାଇଭ ଫଟୋ ଏବଂ ଲୋକେସନ୍ ସେୟାର ନକରିବାକୁ ମଧ୍ୟ ନିଜ ନାଗରିକମାନଙ୍କୁ ପରାମର୍ଶ ଦେଇଛି ଇସ୍ରାଏଲ୍ ।

ଏହାପୂର୍ବରୁ ୨୦୨୧ ମସିହାରେ ନୂଆଦିଲ୍ଲୀର ଚାଣକ୍ୟପୁରୀରେ ଥିବା ଇସ୍ରାଏଲ୍ ଦୂତାବାସ ବାହାରେ ବିସ୍ଫୋରଣ ଘଟିଥିଲା । ଉକ୍ତ ଘଟଣାରେ ଏକ କାର୍ ନଷ୍ଟ ହୋଇଯାଇଥିଲା, କିନ୍ତୁ କେହି ମୃତାହତ ହୋଇନଥିଲେ।

ମଙ୍ଗଳବାର ଇସ୍ରାଏଲ୍ ଦୂତାବାସ ପଛରେ ଘଟିଥିବା ଘଟଣାର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଦିଲ୍ଲୀ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ସ୍କାନ କରି ଦୁଇ ସନ୍ଦିଗ୍ଧ ସେଠାରେ କିପରି ପହଞ୍ଚିଥିଲେ ଏବଂ କେଉଁ ମାର୍ଗରେ ଯାଇଥିଲେ ସେ ସମ୍ବନ୍ଧରେ ସୂଚନା ସଂଗ୍ରହ କରୁଛି ଦିଲ୍ଲୀ ପୋଲିସ।