ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର‌ ତିନି | News Room Odisha

ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର‌ ତିନି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ବିଷାକ୍ତ ବାୟୁ ଯୋଗୁଁ ଲୋକେ ଅଣନିଃଶ୍ବାସୀ ହୋଇପଡ଼ିଛନ୍ତି । ଦିଲ୍ଲୀ ସମ୍ପ୍ରତି ଏକ ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି । ସ୍ଥିତି ଏପରି ହୋଇଛି ଯେ କରୋନା ପରେ ଲୋକେ ପୁଣି ମାସ୍କ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି।

ଦିଲ୍ଲୀ ଆଜି ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ମାନ୍ୟତା ପାଇଛି । ଦିଲ୍ଲୀ ସହ ଭାରତର ଆଉ ଦୁଇଟି ସହର ମୁମ୍ବାଇ ଓ କୋଲକାତା ମଧ୍ୟ ବିଶ୍ବର ୧୦ଟି ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ସାମିଲ ହୋଇଛି । ଦିଲ୍ଲୀ ପରେ ଏହି ତାଲିକାରେ ପାକିସ୍ତାନର ଲାହୋର ଦ୍ବିତୀୟ ସ୍ଥାନରେ ଥିବାବେଳେ କୋଲକାତା ତୃତୀୟ ଓ ମୁମ୍ବାଇ ଷଷ୍ଠ ସ୍ଥାନରେ ରହିଛି ।

ଦିଲ୍ଲୀର ବାୟୁ ମାନ କ୍ରମାଗତ ବିଗିଡ଼ିବାରେ ଲାଗିଛି । ଦିଲ୍ଲୀ ବାୟୁ ବର୍ତ୍ତମାନ ‘ଗମ୍ଭୀର’ ବର୍ଗରେ ରହିଛି । ସ୍ୱିସ୍ ଗ୍ରୁପ୍ ଆଇକ୍ଯୁ ଏୟାର ତଥ୍ୟ ଅନୁଯାୟୀ, ଦିଲ୍ଲୀର ଏକ୍ୟୁଆଇ (ଏୟାର କ୍ବାଲିଟି ଇଣ୍ଡେକ୍ସ) ରବିବାର ସକାଳ ୭ଟା ସୁଦ୍ଧା ୪୮୩ ଥିଲା | ପରେ ଏଥିରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା ।

ଦିଲ୍ଲୀର ୨ କୋଟି ଲୋକ କେବଳ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁନାହାଁନ୍ତି ବରଂ ଆଖି ପୋଡ଼ିବା ଏବଂ ଗଳାରେ ଯନ୍ତ୍ରଣା ନେଇ ଅଭିଯୋଗ କରିଛନ୍ତି। ଏହାଛଡ଼ା ଅନେକ ସ୍ଥାନରେ ଏକ୍ୟୁଆଇ ୫୫୦ରୁ ଅଧିକ ଥିବାରୁ ପରିବେଶ ଧୂଆଁଳିଆ ହେବା ସହ ଭିଜିବିଲିଟି ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି |

ଉଲ୍ଲେଖଯୋଗ୍ୟ, ବାୟୁରେ ପ୍ରଦୂଷଣର ସ୍ତର ମାପିବା ପାଇଁ ଏକ୍ୟୁଆଇ ଏକ ମାନଦଣ୍ଡ | ଯଦି ଏକ୍ୟୁଆଇ ସ୍ତର ସାଧାରଣ ସ୍ତରଠାରୁ ଅଧିକ, ତେବେ ବାୟୁରେ ପ୍ରଦୂଷଣର ମାତ୍ରା ଅଧିକ ବୋଲି ଧରାଯିବ|

ଏକ୍ୟୁଆଇ ୦-୫୦ ରହିଲେ ଭଲ ବୋଲି ବିବେଚନା କରାଯାଏ । ଯଦି ଏହା ୪୦୦-୫୦୦ ମଧ୍ୟରେ ରହେ ତେବେ ବିପଜ୍ଜନକ।