ନୂଆ ସଂସଦ ଭବନର ଉଦଘାଟନ ଉତ୍ସବକୁ ବର୍ଜନ କରିବେ ଟିଏମସି, ଆପ୍ ଓ ବାମଦଳ

ନୂଆଦିଲ୍ଲୀ: ନୂଆ ସଂସଦ ଗୃହର ଉଦଘାଟନକୁ ନେଇ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ଲାଗି ରହିଛି। ମେ ୨୮ରେ ଅନୁଷ୍ଠିତ ହେବାକୁ ଥିବା ନୂଆ ସଂସଦ ଭବନର ଉଦଘାଟନ ସମାରୋହକୁ କିଛି ରାଜନୈତିକ ଦଳ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ନୂଆ ସଂସଦ ଭବନକୁ ଉଦଘାଟନ କରିବାକୁ ଦାବି କରିଛନ୍ତି। ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି ଏବଂ ସିପିଆଇ ନୂଆ ସଂସଦ ଭବନର ଉଦଘାଟନ ଉତ୍ସବକୁ ବର୍ଜନ କରିବେ ବୋଲି କହିଛନ୍ତି ।

ସୂଚନାନୁସାରେ ବିରୋଧୀ ଦଳ ଏହି ପ୍ରସଙ୍ଗରେ ଏକାଠି ହୋଇଛନ୍ତି । ନୂଆ ସଂସଦ ଭବନର ଉଦ୍‌ଘାଟନ ଉତ୍ସବକୁ ବର୍ଜନ ନେଇ ଗୃହରେ ବିଭିନ୍ନ ବିରୋଧୀ ଦଳ ଖୁବ ଶୀଘ୍ର ଏକ ମିଳିତ ବିବୃତ୍ତି ଜାରି କରିବେ ବୋଲି ଜଣାପଡ଼ିଛି । ଇତି ମଧ୍ୟରେ ତୃଣମୂଳ କଂଗ୍ରେସ ଓ ଦୁଇ ବାମପନ୍ଥୀ ଦଳ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଉତ୍ସବର ଆନୁଷ୍ଠାନିକ ନିମନ୍ତ୍ରଣ ପାଇବା ପରେ ବୁଧବାର ଦଳମାନେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ଯେ ନୂଆ ସଂସଦ ଭବନର ଉଦଘାଟନ ସ୍ୱାଧୀନତା ଦିବସ, କିମ୍ବା ଗଣତନ୍ତ୍ର ଦିବସ ଅବା ଗାନ୍ଧୀ ଜୟନ୍ତୀରେ କରାଯିବା ଉଚିତ ସାବରକରଙ୍କ ଜନ୍ମ ବାର୍ଷିକୀରେ ନୁହେଁ। ତେଣୁ ମେ ୨୮ରେ ଉଦଘାଟନ କାର୍ଯ୍ୟକ୍ରମକୁ ଆମେ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ।

କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ ଅଭିଯୋଗ କରିଛନ୍ତି ଯେ ସଂସଦ ଭବନର ନୂଆ କୋଠାର ଉଦଘାଟନ ଉତ୍ସବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦୂରେଇ ରଖି ସରକାର ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି। କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବ କି ବୋଲି ପଚରାଯିବାରୁ ସେ କହିଥିଲେ ଯେ ଉପଯୁକ୍ତ ସମୟରେ ଏନେଇ ନିଷ୍ପତ୍ତି ନିଆଯିବ।

ସିପିଆଇ (ଏମ୍) ମଧ୍ୟ ରାଷ୍ଟ୍ରପତିଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରିଛି। ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଠାରୁ ବର୍ତ୍ତମାନ ଏହାର ଉଦଘାଟନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଉପେକ୍ଷା କରିଛନ୍ତି ବୋଲି ଦଳର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଅଭିଯୋଗ କରିଛନ୍ତି।

ଆମ୍ ଆଦମୀ ପାର୍ଟି ମଧ୍ୟ ନୂଆ ସଂସଦ ଭବନର ଉଦଘାଟନ ଉତ୍ସବକୁ ବର୍ଜନ କରିବ ବୋଲି କହିଛି। ନୂଆ ସଂସଦ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ ନ କରିବା ଦୁର୍ଭାଗ୍ୟଜନକ ବୋଲି ଦଳ କହିଛି ।

Comments are closed.