'ଭାବି ଜୀ ଘର ପର୍ ହୈ' ଫେମ୍ ଅଭିନେତା ଦୀପେଶ ଭାନଙ୍କ ୪୧ ବର୍ଷ ବୟସରେ ପରଲୋକ | News Room Odisha

‘ଭାବି ଜୀ ଘର ପର୍ ହୈ’ ଫେମ୍ ଅଭିନେତା ଦୀପେଶ ଭାନଙ୍କ ୪୧ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲ୍ ‘ଭାବି ଜୀ ଘର ପର୍ ହୈଁ’ ପାଇଁ ଚର୍ଚ୍ଚିତ ଅଭିନେତା ଦୀପେଶ ଭାନଙ୍କର ଶନିବାର ସକାଳେ ପରଲୋକ ହୋଇଯାଇଛି । ଏହି ସିରିଏଲରେ ଦୀପେଶ ‘ମାଲଖାନ’ ଚରିତ୍ରରେ ଅଭିନୟ କରୁଥିଲେ | ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ।

ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ଯେ ଶନିବାର ସକାଳେ ଦୀପେଶ ତାଙ୍କ କୋଠାରେ କ୍ରିକେଟ୍ ଖେଳୁଥିଲେ। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ପ୍ରଥମେ ସେ ଜିମ୍ ଯାଇ ତା’ପରେ ଫେରି କ୍ରିକେଟ୍ ଖେଳୁଥିଲେ | ବହୁ ସେଲିବ୍ରିଟି ଏବଂ ପ୍ରଶଂସକ ଦୀପେଶଙ୍କ ଅକାଳ ବିୟୋଗରେ ସ୍ତବ ହୋଇଯାଇଛନ୍ତି । ତଙ୍କ ସହ କାମ କରିଥିବା ଅଭିନେତ୍ରୀ ଚାରୁଲ ମଲିକ ଇନଷ୍ଟାଗ୍ରାମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, “RIP ୟାରା, ତୁମେ ଚାଲିଗଲ, ମୋର ହୃଦୟ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ଆମ ଆଖିରୁ ଦୂରେଇ ଯାଇଛନ୍ତି, ଆମ ହୃଦୟରୁ ନୁହେଁ । ” ତୁମ ପାଇଁ ଏପରି ପୋଷ୍ଟ କରିବାକୁ ପଡ଼ିବ ବୋଲି କେବେ ଭାବିନଥିଲି। ତୁମେ ବହୁତ ମନେ ପଡ଼ିବ |”

ଟିଭି ଅଭିନେତ୍ରୀ କବିତା କୌଶିକ ଟ୍ୱିଟ୍ କରି କହିଛନ୍ତି, “ଏହି ଖବର ଶୁଣି ମୁଁ ସ୍ତବ୍ଧ। ଦୀପେଶ ଭାନଙ୍କ ୪୧ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସେ ‘ଏଫଆଇଆର’ କାଷ୍ଟର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ସମ୍ପୂର୍ଣ୍ଣ ଫିଟ୍ ଥିଲେ। ସେ ମଦ୍ୟପାନ କରୁନଥିଲେ କି ସିଗାରେଟ୍ ବି ଛୁଉଁନଥିଲେ । ତାଙ୍କ ପରିବାରରେ ପିତାମାତା, ପତ୍ନୀ ଓ ଏକ ବର୍ଷର ପିଲା ଅଛନ୍ତି । ”

ଦୀପେଶ ଭାନ ‘କମେଡି କା କିଙ୍ଗ କୌନ’, ‘କମେଡି କ୍ଲବ’, ‘ଭୁତୱାଲା’, ‘ଏଫଆଇଆର’, ‘ଚାମ୍ପ’ ଏବଂ ‘ସୁନ୍ ୟାର ଚିଲ୍ ମାର୍’ ସମେତ ଅନେକ ଟିଭି ସିରିଏଲରେ କମେଡି ଭୂମିକାରେ ଅଭିନୟ କରିଥିଲେ ।