ସଡ଼କ ଦୁର୍ଘଟଣାରେ ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ

ଶିମଲା: ହିମାଚଳ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ଟିଭି ସିରିଏଲ “ସାରାଭାଇ ଭର୍ସେଜ୍ ସାରାଭାଇ” ର ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ ହୋଇଛି । ବୁଧବାର ପୋଲିସ ଏହି ସୂଚନା ଦେଇଛି।

କୁଲୁ ଜିଲ୍ଲାର ବଞ୍ଜର ଅଞ୍ଚଳରେ ସୋମବାର ଏହି ଦୁର୍ଘଟଣା ଘଟିଥିଲା । ୩୨ ବର୍ଷୀୟା ବୈଭବୀ ତାଙ୍କ ପ୍ରେମିକଙ୍କ ସହ ଯାଉଥିବା ବେଳେ ଏକ ବୁଲାଣିରେ ତାଙ୍କ ଗାଡ଼ି ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସିପଡ଼ିଥିଲା ବୋଲି ପୋଲିସ କହିଛି।

କୁଲୁ ପୋଲିସ ଅଧୀକ୍ଷକ (ଏସପି) ସାକ୍ଷୀ ବର୍ମା କହିବା ଅନୁସାରେ ବୈଭବୀ ଝରକା ଦେଇ ଗାଡିରୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ତାଙ୍କ ମୃତ୍ୟୁ ହୋଇଥିଲା । ଗାଡ଼ିରେ ଥିବା ତାଙ୍କ ପ୍ରେମିକ କିନ୍ତୁ ବର୍ତ୍ତି ଯାଇଥିଲେ।”

ବୁଧବାର ମୁମ୍ବାଇରେ ବୈଭବୀଙ୍କ ଶେଷକୃତ୍ୟ ହେବ ବୋଲି ବର୍ମା କହିଛନ୍ତି।

‘ସାରାଭାଇ ଭର୍ସେଜ୍ ସାରାଭାଇ’ର ନିର୍ମାତା ଜେଡି ମାଜିଥିଆ ବୁଧବାର ସକାଳେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବୈଭବୀ ଉପାଧ୍ୟାୟଙ୍କ ଅକାଳ ମୃତ୍ୟୁ ଖବର ସେୟାର କରିବା ସହ ଦୁଃଖ ପ୍ରକାଶ କରିଛନ୍ତି ।

‘ସାରାଭାଇ ଭର୍ସେଜ୍ ସାରାଭାଇ’ର ସତିଶ ଶାହା, ଦେବେନ୍ ଭୋଜାନି, ରୁପାଲି ଗାଙ୍ଗୁଲି, ସୁମିତ ରାଘବନ ମଧ୍ୟ ସୋସିଆଲ ମିଡିଆରେ ଦିବଂଗତ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଦୀପିକା ପାଦୁକୋନ ଅଭିନୀତ ‘ଛପାକ’ ଓ ଟିଭି ଶୋ ‘ସିଆଇଡି’ ଏବଂ ‘ଅଦାଲତ’ରେ ମଧ୍ୟ କାମ କରିଥିଲେ ବୈଭବୀ ।

Comments are closed.