ହିନ୍ଦୀକୁ ନେଇ ଅଜୟ ଦେବଗନ ଓ କନ୍ନଡ଼ ଅଭିନେତା କିଚା ସୁଦୀପଙ୍କ ମଧ୍ୟରେ ଟ୍ବିଟ୍ ଓ୍ବାର୍

ନୂଆଦିଲ୍ଲୀ: ହିନ୍ଦୀ ଭାଷା ଦେଶର ଜାତୀୟ ଭାଷା କି ନୁହେଁ ସେନେଇ ଆରମ୍ଭ ହୋଇଥିବା ଆଲୋଚନା ତୀବ୍ର ହେବାରେ ଲାଗିଛି | ହିନ୍ଦୀକୁ ନେଇ ଏବେ ବଲିଉଡ୍ ଷ୍ଟାର୍ ଅଜୟ ଦେବଗନ ଓ କନ୍ନଡ଼ ଅଭିନେତା କିଚା ସୁଦୀପଙ୍କ ମଧ୍ୟରେ ଟ୍ବିଟ୍ ଓ୍ବାର୍ ଚର୍ଚ୍ଚାର ବିଷୟ ହୋଇଛି।

ନିକଟରେ ଏକ ଘରୋଇ ଚ୍ୟାନେଲ ‘କର୍ଣ୍ଣାଟକ ତକ୍’କୁ ଦେଇଥିବା ଏକ ସାକ୍ଷାତକାରରେ କିଚା ସୁଦୀପ କହିଥିଲେ ଯେ ହିନ୍ଦୀ ଆଉ ଜାତୀୟ ଭାଷା ନୁହେଁ, ତେବେ ବର୍ତ୍ତମାନ ଜାତୀୟ ଭାଷା କ’ଣ? ପାନ୍ ଇଣ୍ଡିଆ କ’ଣ? କାରଣ ଆମେ ଦକ୍ଷିଣରୁ ଆସିଛୁ, ଆମକୁ ପାନ୍ ଇଣ୍ଡିଆ କୁହାଯାଏ | ହିନ୍ଦୀକୁ ପାନ୍ ଇଣ୍ଡିଆ କାହିଁକି କୁହାଯାଏ ନାହିଁ? ସେମାନେ ଆମର ତାମିଲ, ତେଲୁଗୁ, ମାଲାୟାଲମ୍ ଫିଲ୍ମ ଡବ୍ କରନ୍ତି | ଦକ୍ଷିଣ ଭାରତୀୟ ଫିଲ୍ମ ସେଠାରେ(ଉତ୍ତରରେ) ଭଲ କାମ କରୁଛି। ”

କିଚା ସୁଦୀପଙ୍କ ସାକ୍ଷାତକାରର ଏହି ଅଂଶ ଉପରେ ଅଜୟ ଦେବଗନ ଟ୍ୱିଟରରେ ପ୍ରତିକ୍ରିୟା ଦେଇଥିଲେ।

ଅଜୟ ଦେବଗନ୍ ଟ୍ବିଟ୍ କରି କହିଥିଲେ, “କିଚା ସୁଦୀପ ମୋର ଭାଇ, ଯଦି ତୁମେ କହୁଛ ଯେ ହିନ୍ଦୀ ଆମର ଜାତୀୟ ଭାଷା ନୁହେଁ, ତେବେ ତୁମେ ତୁମର ମାତୃଭାଷାରେ ନିର୍ମିତ ଚଳଚ୍ଚିତ୍ରକୁ ହିନ୍ଦୀରେ ଡବ୍ କରି କାହିଁକି ରିଲିଜ୍ କରୁଛ? ହିନ୍ଦୀ ଆମର ମାତୃଭାଷା ଏବଂ ଜାତୀୟ ଭାଷା ଅଟେ, ଥିଲା, ଏବଂ ସର୍ବଦା ରହିବ | ଜନ ଗଣ ମନ। ”

ଅଜୟ ଦେବଗନଙ୍କ ଏହି ଟ୍ବିଟର ଉତ୍ତର ଦେଇ କିଚା ସୁଦୀପ କହିଥିଲେ, “ହେଲୋ ଅଜୟ ସାର୍, ଯେଉଁ ପରିପ୍ରେକ୍ଷୀରେ ମୁଁ ଏହା କହିଥିଲି, ମୋର ବିଶ୍ୱାସ ଯେ ବୋଧହୁଏ ଆପଣ ଏହାର ସମ୍ପୂର୍ଣ୍ଣ ଭିନ୍ନ ଅର୍ଥ ବାହାର କରିଛନ୍ତି। ଯେତେବେଳେ ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଭେଟିବି, ସେତେବେଳେ ବୋଧହୁଏ ଆପଣଙ୍କୁ ମୁଁ ସେହି ମନ୍ତବ୍ୟ କାହିଁକି ଦେଇଥିଲି ବୁଝାଇବାକୁ ସମର୍ଥ ହେବି | ଏହା କାହାରିକୁ ଆଘାତ, ରଗାଇବା କିମ୍ବା ଯୁକ୍ତି ଆରମ୍ଭ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ | ମୁଁ କାହିଁକି ଏମିତି କରିବି ସାର୍ ? ”

ଏହା ପରେ ସେ ଅନ୍ୟ ଏକ ଟ୍ୱିଟରେ କହିଥିଲେ ଯେ, ମୁଁ ଆମ ଦେଶର ପ୍ରତ୍ୟେକ ଭାଷାକୁ ଭଲପାଏ ଏବଂ ସମ୍ମାନ କରେ। ମୁଁ ବର୍ତ୍ତମାନ ଏହି ବିଷୟକୁ ଏଠାରେ ବନ୍ଦ କରିବାକୁ ଚାହୁଁଛି କାରଣ ମୁଁ ସମ୍ପୂର୍ଣ୍ଣ ଭିନ୍ନ ପ୍ରସଙ୍ଗରେ ସେହି ମନ୍ତବ୍ୟ ଦେଇଥିଲି | ବହୁତ ଭଲପାଇବା ଏବଂ ଶୁଭେଚ୍ଛା | ଶୀଘ୍ର ଆପଣଙ୍କୁ ଭେଟିବି ବୋଲି ଆଶା |”

ଏହା ପରେ ସୁଦୀପ ଆଉ ଏକ ଟ୍ୱିଟ୍ କରିଥିଲେ। ଏଥିରେ ସେ କହିଥିଲେ, “ଏବଂ ଅଜୟ ଦେବଗନ ସାର୍, ଆପଣ ହିନ୍ଦୀରେ କ’ଣ ଲେଖିଛନ୍ତି ମୁଁ ବୁଝିପାରୁଛି | ଏହାର କାରଣ ହେଉଛି ଆମେ ସମସ୍ତେ ହିନ୍ଦୀକୁ ସମ୍ମାନ କରୁ, ଏହାକୁ ଭଲପାଉ ଏବଂ ଆମେ ଏହା ଶିଖିଛୁ | ଦୟାକରି ଖରାପ ଭାବନ୍ତୁ ନାହିଁ … କିନ୍ତୁ ମୁଁ ଭାବୁଥିଲି ଯଦି ମୁଁ କନ୍ନଡର ପ୍ରତିକ୍ରିୟା ଦେଇଥାନ୍ତି ତେବେ କଣ ହୋଇଥାନ୍ତା … !! ଆମର କ’ଣ ଭାରତୀୟ ନୋହୁଁ କି ସାର୍?”

ସୁଦୀପଙ୍କ ଏହି ଟ୍ବିଟର ଉତ୍ତର ଦେଇ ଅଜୟ ଦେବଗନ କହିଥିଲେ, “କିଚା ସୁଦୀପ, ତୁମେ ଜଣେ ବନ୍ଧୁ । ଭୁଲ ବୁ ବୁଝାମଣା ଦୂର କରିଥିବାରୁ ଧନ୍ୟବାଦ। ମୁଁ ସବୁବେଳେ ସିନେମା ଇଣ୍ଡଷ୍ଟ୍ରିକୁ ଏକ ବୋଲି ଭାବିଛି | ଆମେ ସମସ୍ତ ଭାଷାକୁ ସମ୍ମାନ କରୁ ଏବଂ ଆମେ ଆଶା କରୁ ଯେ ସମସ୍ତେ ଆମ ଭାଷାକୁ ସମ୍ମାନ କରିବେ | ଅନୁବାଦରେ କିଛି ଭୁଲ୍ ରହିଗଲା ପରି ଲାଗୁଛି |”

ଦେବଗନଙ୍କ ଉକ୍ତ ଟ୍ବିଟ୍ ଉପରେ ପୁଣି କିଚା ସୁଦୀପ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, “ଅନୁବାଦ ଏବଂ ଏହାର ଅର୍ଥ କେବଳ ନିଜସ୍ଵ ଦୃଷ୍ଟିକୋଣରୁ ବାରି ହୁଏ। ଏହି କାରଣରୁ ସମଗ୍ର ବିଷୟ କଣ ନ ଜାଣି ପ୍ରତିକ୍ରିୟା ନକରିବାର ଭଲ | ମୁଁ ଆପଣଙ୍କୁ ଦାୟୀ କରୁନାହିଁ ଅଜୟ ଦେବଗାନ୍ ସାର୍ ! ବୋଧହୁଏ ମୋ ପାଇଁ ଏହା ଖୁସିର କଥା ହୋଇଥାନ୍ତା ଯଦି ଆପଣଙ୍କ ଠାରୁ ଏକ ସୃଜନାତ୍ମକ କାରଣ ପାଇଁ ଟ୍ୱିଟ୍ ଆସିଥାନ୍ତା ​​| “

Comments are closed.