କୀଟନାଶକ ଦିଆ ଫସଲ ଖାଇ ଦୁଇ ହାତୀଙ୍କ ମୃତ୍ଯୁ

ସମ୍ବଲପୁର: ବିଜୟା ଦଶମୀ ରାତିରେ ଅଭାବନୀୟ ଘଟଣା। ସମ୍ବଲପୁର ଜିଲ୍ଲାର ବଡରମା ରେଞ୍ଜ ଅଞ୍ଚଳରେ କୀଟନାଶକ ଦିଆ ଫସଲ ଖାଇ ଦୁଇ ହାତୀଙ୍କ ମୃତ୍ଯୁ ହେବା ଘଟଣା ଆଲୋଡନ ସୃଷ୍ଟି କରିଛି।

ବଡରମା ରେଞ୍ଜ ଅନ୍ତର୍ଗତ ତିଳେଇମାଲ ଗ୍ରାମ ସଂଲଗ୍ନ ଚୁଲିଆକାନି ପତ୍ରା ଜଙ୍ଗଲ ନିକଟ ଚାଷଜମିରେ କୀଟନାଶକ ପ୍ରୟୋଗ ହୋଇଥିବା ଧାନ ଫସଲ ଖାଇ ଦୁଇ ହାତୀ ମୃତ୍ୟୁବରଣ କରିଛନ୍ତି । ଗୁରୁବାର ସକାଳେ ଗ୍ରାମ ନିକଟସ୍ଥ ଗୁଡା ଚାଷ ଜମିରେ ଏକ ଦନ୍ତା ଓ ନିକଟ ଦୂରରେ ଆଉ ଏକ ମାଇ ହାତୀ ମରି ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ ।

ବନବିଭାଗ ବିଷ କ୍ରିୟାରେ ହାତୀ ମୃତ୍ୟୁ ହୋଇଥିବା ଅନୁମାନ କରିଛି। ସେଥିରୁ ଗୋଟିଏ ହାତୀ ବିଲ ଠାରୁ ମାତ୍ର ଶହେ ମିଟର ଦୂରରେ ମରି ପଡିଥିବା ବେଳେ ଅନ୍ୟଟି ଦୁଇ ଶହ ମିଟର ଦୂରରେ ପଡିଥିବା ଦେଖିବାକୁ ମିଳିଛି। ଅଳ୍ପ କିଛି ଘଣ୍ଟା ପୂର୍ବରୁ ଧାନ ବିଲରେ କୀଟନାଶକ ଦିଆଯାଇଥିବା ବେଳେ ହାତୀ ପଲ ମଧ୍ଯରୁ ଏହି ଦୁଇ ହାତୀ ଉକ୍ତ ବିଲର ଫସଲ ଖାଇ ମୃତ୍ଯୁବରଣ କରିଥିବା ନେଇ ବିଭାଗ ସୂଚନା ଦେଇଛି। ଘଟଣାସ୍ଥଳରେ ବରିଷ୍ଠ ବନ ଅଧିକାରୀଙ୍କ ସମେତ ପ୍ରାଣୀ ଚିକିତ୍ସକ ଆସି ବ୍ୟବଚ୍ଛେଦ କରିଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Comments are closed.