ପ୍ରଫେଟ୍ ମହମ୍ମଦ ବିବାଦ: ରାଞ୍ଚି ହିଂସାରେ ଦୁଇ ମୃତ

ରାଞ୍ଚି: ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ମନ୍ତବ୍ୟ ବିରୋଧରେ ରାଞ୍ଚିରେ ଶୁକ୍ରବାର ହୋଇଥିବା ହିଂସାତ୍ମକ ଆନ୍ଦୋଳନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଗୁଳିରେ ଉଭୟ ଆହତ ହୋଇଥିଲେ । ସେମାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଦୁଇ ବ୍ୟକ୍ତି ହେଲେ ମୁଦାସିର ଓରଫ୍ କୈଫୀ ଏବଂ ମହମ୍ମଦ ସାହିଲ | ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମ୍ସ) ତରଫରୁ ମଧ୍ୟ ନିଶ୍ଚିତ କରାଯାଇଛି। ଏଥିସହିତ ହିଂସାରେ ଆହତ ଅନ୍ୟ ୮ ଜଣ ବ୍ୟକ୍ତି ଚିକିତ୍ସାଧୀନ ଅଛନ୍ତି ।

ଉଲ୍ଲେଖଯୋଗ୍ୟ, ମହମ୍ମଦଙ୍କ ଉପରେ ନୂପୁର ଶର୍ମାଙ୍କ ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ଶୁକ୍ରବାର ଜୁମା ପରେ ରାଞ୍ଚିରେ ବିକ୍ଷୋଭ ବେଳେ ହିଂସା ଘଟିଥିଲା । ସହରର ପ୍ରମୁଖ ଅଞ୍ଚଳରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଶୋଭାଯାତ୍ରା ବାହାର କରି ନୂପୁର ଶର୍ମାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ସେମାନେ ପୋଲିସ ଉପରକୁ ଟେକା ମାଡ଼ କରିଥିଲେ । ଜବାବରେ ପୋଲିସ ଫାଙ୍କା ଗୁଳିଚାଳନା କରିବା ସହ‌ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଟେକାମାଡ଼ରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ ।

ରାଞ୍ଚି ବ୍ୟତୀତ ଗତକାଲି ଦେଶର ବିଭିନ୍ନ ସ୍ଥାନରେ ନୂପୁର ଶର୍ମାଙ୍କ ଗିରଫ ଦାବିରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉତ୍ତର ପ୍ରଦେଶର ସାହରାନପୁର ଓ ପଶ୍ଚିମବଙ୍ଗର ହାଓ୍ବଡାରେ ମଧ୍ୟ ହିଂସା ଘଟିଥିବା ସୂଚନା ରହିଛି ।

Comments are closed.