କାଶ୍ମୀର: ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଲସ୍କର ଆତଙ୍କବାଦୀ ନିହତ | News Room Odisha

କାଶ୍ମୀର: ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଲସ୍କର ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ମଙ୍ଗଳବାର ଦୁଇଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସୁରକ୍ଷା ବାହିନୀ କୁଲଗାମ ଜିଲ୍ଲାର ଓକେ ଗ୍ରାମକୁ କର୍ଡନ କରି ସେଠାରେ ତଲାସୀ ଅଭିଯାନ ବେଳେ ଗୁଳି ବିନିମୟ ଘଟିଥିଲା । ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସେ କହିଛନ୍ତି।

ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (କାଶ୍ମୀର) ବିଜୟ କୁମାର କହିଛନ୍ତି ଯେ ନିହତ ଆତଙ୍କବାଦୀମାନେ ସ୍ଥାନୀୟ ବାସିନ୍ଦା ଏବଂ ଲଶ୍କର ସହ ଜଡିତ। ଏହା ପୂର୍ବରୁ ମଧ୍ୟ ସେମାନେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ।

ଗତ କିଛି ଦିନ ଧରି କାଶ୍ମୀର ଉପତ୍ୟକାରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଆତଙ୍କବାଦୀ ବିରୋଧୀ ଅଭିଯାନ ଜାରି ରହିଛି। ଜାନୁୟାରୀ ୩ରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଥିଲା। ଶ୍ରୀନଗରରେ ଦୁଇଟି ପୃଥକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ତିନିଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ।