କୁନୋରେ ଥମୁନି ଚିତା ମଡ଼କ, ଆଉ ଦୁଇ ଛୁଆଙ୍କ ମୃତ୍ୟୁ, ଦୁଇ ମାସରେ ୬ ଚିତାଙ୍କ ଗଲାଣି ଜୀବନ

ଭୋପାଳ: ଦେଶରେ ଚିତା ପୁନଃ ଥଇଥାନ ଯୋଜନାକୁ ଲାଗିଛି ବଡ଼ ଝଟକା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତା ଜ୍ୱାଲାର ଗୁରୁବାର ଆଉ ଦୁଇ ଛୁଆର ମୃତ୍ୟୁ ହୋଇଛି । ଭୀଷଣ ଗରମ ଯୋଗୁଁ ଚିତା ଶାବକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏହାପୂର୍ବରୁ ମଙ୍ଗଳବାର ମଧ୍ୟ ଏକ ଚିତା ଛୁଆର ମୃତ୍ୟୁ ଘଟିଥିଲା । ଜ୍ୱାଲାର ଚାରି ଛୁଆ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏବେ କେବଳ ଗୋଟିଏ ଛୁଆ ବଞ୍ଚିଛି । ତାକୁ ଗୁରୁତର ଅବସ୍ଥାରେ ପାଲପୁର ପଶୁ ଡାକ୍ତରଖାନାରେ ରଖାଯାଇଛି। କୁନୋ ଜାତୀୟ ଉଦ୍ୟାନରେ ଦୁଇ ମାସ ମଧ୍ୟରେ ୬ଟି ଚିତାଙ୍କର ମୃତ୍ୟୁ ହୋଇଛି ।

କୁନୋରେ ମାଈ ଚିତା ଜ୍ୱାଲା ମାର୍ଚ୍ଚ ୨୭ରେ ଚାରିଟି ଛୁଆକୁ ଜନ୍ମ ଦେଇଥିଲା | କିନ୍ତୁ ଭୀଷଣ ଗରମ ଯୋଗୁଁ ୪ଟି ଯାକ ଚିତା ଛୁଆ କମ୍ ଓଜନ ଏବଂ ଡିହାଇଡ୍ରେସର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା | ମୁଖ୍ୟ ବନ ସଂରକ୍ଷଣକାରୀ ଜେଏସ ଚୌହାନ କହିଛନ୍ତି ଯେ ଆମେ କ୍ରମାଗତ ଭାବେ ଚିତା ଛୁଆଙ୍କ ମନିଟରିଂ କରୁଛୁ। କିନ୍ତୁ ଦିନର ତାପମାତ୍ରା ୪୬ ରୁ ୪୭ ଡିଗ୍ରୀ ସେଲସିୟସ୍ ରହୁଥିବା ଯୋଗୁଁ ଚିତା ଛୁଆ ମାନଙ୍କ ପାଇଁ ଏହା ଘାତକ ସାବ୍ୟସ୍ତ ହେଉଛି ।

ପ୍ରାୟ ୭୦ ବର୍ଷ ପୂର୍ବେ ଭାରତରୁ ଚିତା ବଂଶ ଲୁପ୍ତ ହୋଇଯାଇଥିଲା । ତେବେ ଚିତା ପ୍ରୋଜେକ୍ଟ ଅଧୀନରେ ନାମିବ୍ୟାରୁ ପ୍ରଥମ ବ୍ୟାଚରେ ଗତବର୍ଷ ସେପ୍ଟେମ୍ବରରେ ୮ଟି ଚିତା କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା | ସେପ୍ଟେମ୍ବର ୧୭ରେ ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତା ମାନଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏହା ପରେ ଫେବୃଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୩ଟି ଚିତାବାଘ ଅଣାଯାଇଥିଲା | ମାଈ ଚିତା ଜ୍ୱାଲାର ଚାରି ଛୁଆ ଜନ୍ମ ପରେ କୁନୋରେ ମୋଟ ଚିତା ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା | ତେବେ ଏହାର ଦୁଇ ଦିନ ପୂର୍ବରୁ ଏକ ମାଈ ଚିତା ଶଶାର ମୃତ୍ୟୁ ହୋଇଥିଲା। କିଛି ଦିନ ପରେ ଚିତା ଉଦୟ ଏବଂ ଦକ୍ଷାର ମଧ୍ୟ ମୃତ୍ୟୁ ହୋଇଥିଲା। ତିନି ଛୁଆର ମୃତ୍ୟୁ ପରେ ବର୍ତ୍ତମାନ କୁନୋରେ ଚିତା ସଂଖ୍ୟା ୧୮କୁ ହ୍ରାସ ପାଇଛି |

Comments are closed.